ଆଇଟିଇଆର୍ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ
7/07/2020 at 7:29 PM

ଭୁବନେଶ୍ୱର୭/୭: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ହୋମ୍ ଆକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥାର ଏହି ଅନ୍ଲାଇନ୍ ଆପ୍ ମାଧ୍ୟମରେ ଏୟାର କଣ୍ଡିସନ୍ର, ରେଫ୍ରିଜେରେଟର, ୱାଶିଂ ମେସିନ୍ ଇତ୍ୟାଦି ମରାମତି ଏବଂ ସର୍ଭିସିଂ ନିମନ୍ତେ ଏହି ଆପ୍ଟି ଗ୍ରାହକମାନଙ୍କ ନିକଟରେ ସୁବିଧା ପହଂଚାଇବ । ସେହିପରି ବାଇକ୍ ଏବଂ କାର୍ ଇତ୍ୟାଦି ନିମନ୍ତେ ବିଭିନ୍ନ ସୂଚନା ଏହି କମ୍ପାନୀ ଯୋଗାଇବ ବୋଲି ଷ୍ଟାର୍ଟଅପ୍ର କର୍ମକର୍ତା ସୂଚନା ଦେଇଛନ୍ତି । ଏହି କମ୍ପାନୀରେ ଇଲେକ୍ଟ୍ରିସିଆନ୍, ପ୍ଲମ୍ବର୍ସ, କାରପେଂଟର୍ସ ଏବଂ ସଫ୍ଟୱେୟାର ଡେଭଲପରଙ୍କ ଭଳି ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି କାର୍ଯ୍ୟକରୁଛନ୍ତି ଏବଂ ସେମାନେ ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରିପାରିବେ ।
“ ଆମ୍ଭେମାନେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛୁ ଏବଂ ଆମର ସବୁ ଟେକ୍ନିସିଆନ୍ ମାନେ ସ୍ଥାନୀୟ ଅଂଚଳର ଓ ଉଚ୍ଚ ପ୍ରଶିକ୍ଷିତ । ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ଆମ ଆପ୍ଟିକୁ ଡାଉନ୍ଲୋଡ କରି ସେବା ନେଇପାରିବେ । ଖୁବ୍ କମ୍ ମୂଲ୍ୟରେ ଆମେ ସେବା ଯୋଗାଇ ଦେଉଥିବା ବେଳେ ୩୦ ଦିନର ୱାରେଂଟି ଦେଉଛୁ” ବୋଲି ସଂପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଏବେ ୨୪୦ ରୁ ଅଧିକ ଟେକ୍ନିସିଆନ୍ ଏହି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। ଆଇଟିଇଆର୍ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ବିଟେକ୍ର ପୂର୍ବତନ ଛାତ୍ର ଅମିତ କୁମାର ପୃଷ୍ଟି ଏହି କମ୍ପାନୀର ସହ ପ୍ରତିଷ୍ଠାତା ରହିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ଏମ୍ଟେକ୍ କରିଥିବା ଆଶୁତୋଷ ଦାସ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ।
ଆଇଟିଇଆର୍ର ପୂର୍ବତନ ଛାତ୍ର ତଥା ଇଲେକ୍ଟ୍ରୋନିକ୍ସରେ ପିଏଚ୍ଡି କରୁଥିବା ସତୀଶ କୁମାର ସାମଲ୍ ଏହି ଗ୍ରୁପ୍ର ଉପଦେଷ୍ଟା ରହିଥିବା ବେଳେ ଜର୍ମାନୀର କୋନ୍ ୟୁନିଭର୍ସିଟିର ଗବେଷକ ତଥା ଗ୍ରାଭିଟେସନାଲ୍ ବାୟୋଲୋଜିଷ୍ଟ ଅଭିଷେକ ଆଚାର୍ଯ୍ୟ ଏହି କମ୍ପାନୀର ପରାମର୍ଶଦାତା ଅଛନ୍ତି ।