ବେସ୍‌କୁ ଯିବା ପାଇଁ ବସ୍ ଅପେକ୍ଷାରେ ଥିଲେ, ଅଚାନକ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କଲେ ITBPର ଯବାନ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୦୬: ଦିଲ୍ଲୀ ସ୍ଥିତ କରୋଲ ବାଗ ଥାନା ପରିସରରେ ଭାରତ ତିବ୍ବତ ସୀମା ପୋଲିସ(ITBP)ର ଜଣେ ଯବାନ ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। ମୃତକ ଯବାନଙ୍କ ନାମ ସନ୍ଦୀପ ଯାଦବ(୩୧)। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ନମିଳିବାରୁ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ।

ଡିସିପି ସଞ୍ଜୟ ଭାଟ୍ଟିଆ କହିଛନ୍ତି, ସନ୍ଦୀପ ମୂଳତଃ ଗୋରଖପୁରର ଖଜନି ତହସିଲର କେଭଲତି ଗାଁର ବାସିନ୍ଦା। ସେ ୨୦୦୯ରେ କନଷ୍ଟେବଲ ରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ। ସଂପ୍ରତି ସେ ଆଇଟିବିପିର ୨୨ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ।

କୁହାଯାଇଛି ଯେ, ସନ୍ଦୀପ ନିଜର ସାଥୀଙ୍କ ସହିତ ଶୁକ୍ରବାର ଅରେଞ୍ଜମେଣ୍ଟରେ ଡ୍ୟୁଟି ପାଇଁ କରୋଲ ବାଗ ଅଞ୍ଚଳକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଡ୍ୟୁଟି ସରିବା ପରେ ସାଥୀମାନଙ୍କ ସହ ବେସ୍‌ କ୍ୟାମ୍ପକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଚାନକ ନିଜର ଇନସାସ ରାଇଫଲରେ ନିଜ ମୁଣ୍ଡକୁ ଗୁଳି କରି ଦେଇଥିଲେ। ଘଟଣା ସମୟରେ ତୁରନ୍ତ କମାଡେଣ୍ଟ ରାଜନ ବାବୁଙ୍କୁ ଏହାର ସୂଚନା ଦିଆଯାଇଥିଲା। ଏହା ସହିତ ମୃତ ଯବାନଙ୍କ ପରିଜନଙ୍କୁ ଏହାର ସୂଚନା ଦିଆଯାଇଛି। ତାଙ୍କ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ଲାଗି ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.