କରୋନା ଟୀକା ପାଇଁ ବିଶ୍ୱ ତତ୍ପର : ପ୍ରଥମ ଟୀକା ଉଦ୍ଭାବନ ଦାବି କଲା ଇଟାଲୀ, ଲକ୍ଷ୍ୟ ନିକଟତର ଇସ୍ରାଇଲ, ଆମେରିକା, ୩୦ ଟୀକା ଟ୍ରାଏଲ ପାଇଁ ପ୍ରସ୍ତୁତ କରିଛି ଭାରତ

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬/୦୫ : କରୋନା ମହାମାରୀ ସହ ଲଢ଼ୁଛି ବିଶ୍ବ । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୩.୬୬ ନିୟୁତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୪୪ ଟପିଲାଣି  । ଆମ ଦେଶରେ ସ୍ଥିତି ମଧ୍ୟ ଦିନକୁ ଦିନ ଉଦବେଗଜନକ ସ୍ଥିତି ଆଡକୁ ମୁହାଁଇଛି ।  ଏହି ମହାମାରୀ କବଳରୁ ବିଶ୍ବକୁ ଉଦ୍ଧାର କରିବା ପାଇଁ ଦିନରାତି ଭ୍ୟାକ୍ସିନର ପରୀକ୍ଷା ଚାଲିଛି ।  ଏହି ସମୟରେ ଇଟାଲି ବୈଜ୍ଞାନିକ ମାନେ ମଣିଷ ଶରୀରରେ କରୋନା  ଭୂତାଣୁ ରୋକିବାରେ ସଫଳ ହୋଇଥିବା ଦାବି କରିଛନ୍ତି । ସାରା ବିଶ୍ବରେ ଏନେଇ ଯେତେ ଗବେଷଣା ହୋଇଛି ଇଲାଲୀ ବୈକ୍ଷାନିକ ମାନେଙ୍କ ଭ୍ୟାକସିନ୍‌ ସବୁଠାରୁ ଫଳପ୍ରଦ ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟୀକା ଆଶା ଛାଡ଼ି ଦେବା ଭଲ ବୋଲି କହିଛି .....

ମହାମାରୀ କରୋନାର ପ୍ରଥମ ସଫଳ ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ଇଟାଲୀର ଦାବି  । ଏହି ଭ୍ୟାକସିନ୍ ମଣିଷ ଶରୀରରେ କରୋନା ଭୂତାଣୁକୁ ରୋକିବାରେ ସଫଳ ହୋଇଛି ବୋଲି ଇଟାଲୀର ସ୍ବାସ୍ଥ୍ୟ ବିଜ୍ଞାନୀ ମାନେ ଦାବି କରିଛନ୍ତି । ଟାକିସ୍ ନାମକ ଇଟାଲୀର ଏକ ମେଡିସିନ୍  କମ୍ପାନୀର ବୈଜ୍ଞାନିକ ଏହି ଭ୍ୟାକସିନ୍  ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ଏହି ଭ୍ୟାକସିନ୍ ମୂଷା ଶରୀରରେ ପ୍ରୟୋଗ କରାଯାଇଥିଲା । ଯାହାକି ଆଣ୍ଟିବଡ଼ି ତିଆରି କରିବାରେ ସକ୍ଷମ ହୋଇଛି । ତେଣୁ ଏହା ମଣିଷ ଶରୀରକୁ ଭୂତାଣୁ ସଂକ୍ରମଣ ହେବାକୁ ରୋକିପାରିବ । ଇଟାଲୀ ରାଜଧାନୀ ରୋମ୍ ର ସ୍ପାଲାଞ୍ଜାନି ଗବେଷଣା ଗାରରେ ଏହାର ପରୀକ୍ଷଣ କରାଯାଇଛି । ଇଟାଲୀୟ ନ୍ୟୁଜ୍ ଏଜେନ୍  ANSA ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।  ବର୍ତ୍ତମାନ ସୁଦ୍ଧା  କରୋନା ଭ୍ୟାକସିନ୍ କୁ ନେଇ ସାରା ବିଶ୍ବରେ ଯେତେ ଗବେଷଣା ହୋଇଛି ତାହା ଭିତରେ ଇଟାଲୀ ବୈଜ୍ଞାନିକଙ୍କ କରୋନା ଭ୍ୟାକସିନ୍ ସବୁଠାରୁ ଫଳପ୍ରଦ ହେବ ବୋଲି ଚର୍ଚ୍ଚା ହେଉଛି ।  ଇଟାଲୀର ଗବେଷକଙ୍କ ମତରେ ଏହି ଭ୍ୟାକସିନ୍ ଦ୍ବାରା  ଶରୀରରେ ଏପରି ଆଣ୍ଟିବଡ଼ି ତିଆରି ହେବ ଯାହାକି କରୋନା ଭୂତାଣୁର ପ୍ରୋଟିନ୍ ବିରୋଧରେ କାର୍ଯ୍ୟ କରିବ । ବିଶେଷ କରି ଫୁସଫୁସ୍ ର କୋଷିକା ଗୁଡ଼ିକରେ ହିଁ ଏହା ସବୁଠୁ ଅଧିକ କାମ କରିବ । ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ଟାକିସ କମ୍ପାନୀର ସିଇଓ ଲୁଇଗି ଔରିସିଚିଓ ଆନ୍ତର୍ଜାତିକ ସହଯୋଗ ଆଶା କରିଛନ୍ତି । ଫଳରେ ଟିକା ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ ପାରିବ ...

ଏମିତିଏକ ସମୟରେ ଇସ୍ରାଏଲ ମଧ୍ୟ  କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି । ଏହି ଟୀକାର ବିକାଶ ଏବେ ଚାଲିଛି ଏବଂ ଏହାର ପେଟେଣ୍ଟ ସହିତ ଉତ୍ପାଦନ ନେଇ ମଧ୍ୟ ଇସ୍ରାଏଲ ପ୍ରସ୍ତୁତ ହେଉଛି । କରୋନା ଭାଇରସର ଉପରେ ଗଭିର ଗବେଷଣା ପରେ ଏହି ଟୀକାର ବିକାଶ କରାଯାଉଛି । ବିଶେଷ କରି କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଣ୍ଟିବଡି ବିକାଶ କରାଯାଇଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲ୍ଲି ବେନେଟ ଦାବି କରିଛନ୍ତି । ତେବେ ଏହାର ମାନବୀୟ ପରୀକ୍ଷଣ ହୋଇଛି ନା ନାହିଁ ସେ ନେଇ ସ୍ପଷ୍ଟ ହୋଇନି ....

ସେପଟେ ଆମେରିକାର ଫିଜର କମ୍ପାନି ମଧ୍ୟ  କରୋନା ଟୀକାର ମାନବୀୟ ପରୀକ୍ଷଣ କରିଛି ।  ଏହାଦ୍ବାରା ଖୁବଶୀଘ୍ର ଏକ ଆଣ୍ଟିବଡ଼ ଚିକିତ୍ସା ଉପଲବ୍ଧ ହୋଇପାପାରିବ ବୋଲି ଆଶା  କରାଯାଉଛି।  ଜର୍ମାନୀର ବାୟୋ ଏନଟେକ୍  ସହ  ମିଳିତ ଭାବେ ଫିଜର କମ୍ପାନୀ ଟୀକା ପ୍ରସ୍ତୁତ କରିଛି । ମାନହଟ୍ଟନରେ  ନ୍ୟୁୟର୍କ ୟୁନିଭର୍ସିଟିର ଗ୍ରସମାନ ସ୍କୁଲ ଅଫ୍  ମେଡିସିନ ଏବଂ ବାଲଟିମରରେ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍  ମେଡିସିନରେ ଏହି ଟୀକାର ପରୀକ୍ଷା କରାଯାଇଛି ।  ମାତ୍ର ୪ ମାସରେ ଏହି ଟୀକାର ପ୍ରି-କ୍ଲିନିକାଲ ଟେଷ୍ଟ ସହିତ ମାନବୀୟ ପରୀକ୍ଷା ପର୍ଯ୍ୟନ୍ତ ଆସିଛି ।  ପ୍ରଥମେ ଏହାକୁ ୧୮ରୁ ୫୫ ବର୍ଷିୟ ଭଲ୍ୟୁଣ୍ଟରଙ୍କ ନିକଟରେ ପରୀକ୍ଷା କରାଯାଇଛି। ପରେ ଏହାକୁ ୮୫ ବର୍ଷ ପର୍ଯ୍ୟନ୍ତ ବୟସ୍କ ଲୋକଙ୍କ ନିକଟରେ ପରୀକ୍ଷା କରାଯିବ ।  ଭ୍ୟାକସିନ୍‌ ପୟୋଗ କରାଯାଇଥିବା ଉକ୍ତ ଭଲ୍ୟୁଣ୍ଟିୟରଙ୍କ  ସ୍ବାସ୍ଥ୍ୟା ବସ୍ଥା ଉପରେ ନଜର ରଖାଯାଇଛି । ଆସନ୍ତାମାସ ସୁଦ୍ଧା ଏହାର ଫଳାଫଳ ଜଣା ପଡ଼ିବ।  ଏଥି ସହିତ ଜନସନ ଆଣ୍ଡ ଜନସନ, ମଡର୍ଣ୍ଣା ଭଳି ଆଉ କମ୍ପାନି ମଧ୍ୟ ଭାକ୍ସିନ ତିଆରି କରୁଛନ୍ତି । ଚୀନରେ ମଧ୍ୟ  ଭିଟାମିନ ସି ଇଞ୍ଜେନକ୍ସ କରୋନା ରୋଗୀଙ୍କ ଦେବା ନେଇ ପରୀକ୍ଷା ନିରୀକ୍ଷା ଜୋରଦାର ହୋଇଛି । ଭିଟାମିନ୍ ସିର ଇଣ୍ଟ୍ରାଭେନସ ଲାର୍ଜ ଡୋଜ୍ ରୋଗୀ ଉପରେ ପରୀକ୍ଷା କରାଯାଉଛି ।...

ସାରା ବିଶ୍ବର ସ୍ବାସ୍ଥ୍ୟ ବିଜ୍ଞାନୀ କରୋନା ପାଇଁ କସରତ କରୁଥିବା ବେଳେ ଭାରତ ମଧ୍ୟ ପଛରେ ନାହିଁ । କରୋନା ଭାଇରସ୍ ବିରୋଧରେ ୩୦ରୁ ଊର୍ଦ୍ଧ୍ବ ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେଥିରୁ ଭାରତରେ ଅଳ୍ପ କେତୋଟି ଟିକା ଡାକ୍ତରୀ ପରୀକ୍ଷା ପର୍ଯ୍ୟାୟକୁ ଯିବ ବୋଲି ବିଶେଷଜ୍ଞ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଟାସ୍କ୍ ଫୋର୍ସ ବୈଠକରେ କହିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାଭାଇରସ୍ ଟୀକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଆଲୋଚନା କରିଛନ୍ତି  । ଟୀକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । କରୋନା ଭାକ୍ସିନ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଏଥିରେ କିନ୍ତୁ ନିରାଶାର ସିଗ୍ନାଲ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ପାଇଁ କେବେବି ଭାକ୍ସିନ ବାହାରି ପାରିବ ନାହିଁ । ଯେମିତି ଏଚଆଇଭି ଏବଂ ଡେଙ୍ଗୁର କୌଣସି ଭାକ୍ସିନ ବାହାରିନି ସେହିଭଳି କରୋନାର ମଧ୍ୟ ଭାକ୍ସିନ ବାହାରି ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.