ଆଖି ଲୁହରେ ବି ଭାସୁଛି ଭୟଙ୍କର କରୋନା ଭାଇରସ, ସେଠି ମଧ୍ୟ ସଂକ୍ରମଣର ଭୟ
25/04/2020 at 1:59 PM

ମିଲାନ ୨୫।୦୪ : କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ଜଣେ ବ୍ୟକ୍ତିର କଫ, କାଶ କିମ୍ବା ସ୍ପର୍ଶ ଦ୍ୱାରା ଏହି ଭାଇରସ ଅନ୍ୟମାନଙ୍କ ପାଖକୁ ବ୍ୟାପିଥାଏ ବୋଲି ସମସ୍ତେ ଜାଣନ୍ତି । ସେହିପରି କଥା ହେବା କିମ୍ବା ନିଃଶ୍ୱାସପ୍ରଶ୍ୱାସ ଜରିଆରେ ବି ଏହା ବ୍ୟାପିବାର ସମ୍ଭାବନା ରହିଛି । ଏବେ କିନ୍ତୁ ଇଟାଲୀର କିଛି ଗବେଷକ ଏନେଇ ଏକ ନୂଆ ତଥ୍ୟ ଦେଇଛନ୍ତି । ସେମାନେ ଦାବି କରିଛନ୍ତି ଯେ, କରୋନା ଆକ୍ରାନ୍ତ ବ୍ୟକ୍ତିର ଲୁହ ଯୋଗୁ ବି ଏହା ବ୍ୟାପିବାର ସମ୍ଭାବନା ରହିଛି ।
ଇଟାଲୀର ଜାତୀୟ ସଂକ୍ରାମକ ରୋଗ ଗବେଷଣା ପ୍ରତିଷ୍ଠାନର ଗବେଷକମାନେ ଏଭଳି ମତ ଦେଇଛନ୍ତି ।
ସେମାନଙ୍କ ଅନୁସାରେ, କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ କିଛି ଲୋକଙ୍କ ଆଖି ନାଲି କିମ୍ବା ଗୋଲାପୀ ହୋଇଯାଉଥିବା ଜଣାଯାଇଛି । ଏହା କରୋନା ସଂକ୍ରମଣର ସବୁଠାରୁ ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ୟା’ ପରେ ସେଇ ବ୍ୟକ୍ତି ଠାରେ ଅନ୍ୟ ଲକ୍ଷଣସବୁ ପ୍ରକାଶ ପାଏ । ତେବେ ଆଖି ନାଲି ହେବାକୁ କୌଣସି ଦେଶରେ ବିଧିବଦ୍ଧ ଭାବେ କରୋନା ସଂକ୍ରମଣର ଲକ୍ଷଣ ଭାବେ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ତେବେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଏପରି ଲକ୍ଷଣ ଦେଖାଯାଉଛି ବୋଲି ଅଧିକାଂଶ ଦେଶ ଗ୍ରହଣ କରିଛନ୍ତି । ହେଲେ ଏପରି ଲକ୍ଷଣ ଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ।
କରୋନା ଦ୍ୱାରା ଯେତିକି ଲୋକ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ ମାତ୍ର ୧% କିମ୍ବା ତା’ ଠାରୁ କମ୍ ଲୋକଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଉଛି । ଚୀନ୍ରେ ୧୦୦୦ କରୋନା ରୋଗୀଙ୍କ ଉପରେ ଅଧ୍ୟୟନ କରାଯିବା ପରେ ସେମାନଙ୍କ ଭିତରୁ ମାତ୍ର ୯ ଜଣଙ୍କ ଆଖି ନାଲି ପଡ଼ିଥିବା ଦେଖାଯାଇଥିଲା । ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ୧%ରୁ କମ୍ ହେବ । ସେହିପରି ଆମେରିକାର ରାଜଧାନୀ ୱାସିଂଟନସ୍ଥିତ ଏକ ଲାଇଫ କେୟାର ହୋମରେ ୮୦ ଜଣ ଅନ୍ତେବାସୀ ଏବଂ ୩୪ ଜଣ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ସେମାନଙ୍କ ଭିତରୁ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେଠାରେ କାର୍ଯ୍ୟରତ ଜଣେ ନର୍ସ ପ୍ରକାଶ କରିଥିଲେ ଯେ ପ୍ରଥମେ ପ୍ରଥମେ ସେଠାକାର ସମସ୍ତ ଅନ୍ତେବାସୀଙ୍କ ଆଖି ନାଲି ପଡ଼ିଯାଇଥିଲା । କାହା ଶରୀରରେ ବି ଅନ୍ୟ କିଛି ଲକ୍ଷଣ ନଥିଲା । କିନ୍ତୁ ସେମାନଙ୍କର ପରୀକ୍ଷା କରାଯିବାରୁ ସେମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇଥିଲା । ତେଣୁ ଆଖି ନାଲି ହେବା ବି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଲକ୍ଷଣ ବୋଲି ଅଧିକାଂଶ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକମତ ହୋଇଛନ୍ତି । ଇଟାଲୀର ଏହି ଗବେଷକମାନେ ସୂଚନା ଦେଇଛନ୍ତି କି ଚୀନ୍ର ଜଣେ ୬୫ ବର୍ଷୀୟା ମହିଳା ଜାନୁଆରୀ ୨୩ରେ ଉହାନ ସହରରୁ ଇଟାଲୀକୁ ଆସିଥିଲେ । ଇଟାଲୀକୁ ଆସିବାର ୫ ଦିନ ପରେ ଏବଂ ତାଙ୍କ ଶରୀରରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇବାର ଦିନକ ପରେ ତାଙ୍କୁ ହସ୍ପିଟାଲରେ ଆଡମିସନ କରାଯାଇଥିଲା । ତାଙ୍କର ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କର ଆଖି ଗୋଲାପୀ ରଙ୍ଗର ହୋଇଯାଇଥିବା ଦେଖିବାକୁ ପାଇଥିଲେ ଏବଂ ତାହାର ଚିକିତ୍ସା କରିବାକୁ ପ୍ରୟାସ କରିଥିଲେ ।
ସେମାନେ ତାଙ୍କର ଆଖି ପରୀକ୍ଷା କରିବାରୁ ସେଥିରେ କରୋନା ଭାଇରସ ଥିବାର ଜଣାପଡ଼ିଥିଲା । ହସ୍ପିଟାଲକୁ ଆସିବାର ୨୧ ଦିନ ଯାଏଁ ତାଙ୍କ ଆଖିରେ କରୋନା ଭାଇରସ ରହିଥିଲା । ଅର୍ଥାତ୍ ଆଖିରେ ଥିବା ଅର୍ଦ୍ଧ-ତରଳ ପଦାର୍ଥରେ ବି କରୋନା ଭାଇରସ ନିଜର ବଂଶବୃଦ୍ଧି କରିବାରେ ସମର୍ଥ ହୋଇଥିଲା । ତା’ ପରେ ତାଙ୍କ ଆଖିରୁ ଭାଇରସ ଗାଏବ ହୋଇଯାଇଥିଲା । ହେଲେ ୫ ଦିନ ପରେ ପୁଣି ସେଥିରେ ଭାଇରସର ସନ୍ଧାନ ମିଳିଥିଲା । ଏଥିରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖିରେ କରୋନା ଭାଇରସ କିଛି ସପ୍ତାହ ଯାଏଁ ତିଷ୍ଠି ରହୁଥିବାର ସ୍ପଷ୍ଟ ହୋଇଛି । ତେଣୁ ସେଇ ବ୍ୟକ୍ତିଙ୍କ ଲୁହ ଏବଂ ଆଖିରୁ ବାହାରୁଥିବା ମ୍ୟୁକସ ଯୋଗେ ବି ଭାଇରସ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହି କାରଣରୁ କେହି ବ୍ୟକ୍ତି ଏବେ ନିଜ ଆଖିକୁ ନଛୁଇଁବା ପାଇଁ କୁହାଯାଉଛି ।