କୃଷକ ଆନ୍ଦୋଳନ ସମାପ୍ତ କରିବାକୁ ଅଧିକ ସମୟ ଲାଗିବ ନାହିଁ, ଘରକୁ ଫେରିବାକୁ ସଙ୍କେତ ଦେଲେ ଟିକାୟତ !

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭।୧୨: ତିନି କୃଷି ଆଇନ ବିରୋଧରେ ପ୍ରାୟ ଏକ ବର୍ଷ ଧାରଣାରେ ବସିଥିବା କୃଷକ ଏବେ ଘରକୁ ଫେରି ପାରନ୍ତି। କେନ୍ଦ୍ର ସରକାର ନିକଟରେ ତିନି ଆଇନ ପ୍ରତ୍ୟାହାର କରିଛନ୍ତି। ତେବେ ଆଉ କିଛି ଦାବି ନେଇ କୃଷକ ଆନ୍ଦୋଳନରୁ ଓହରିବାକୁ ନାରାଜ। ବିଶେଷ କରି ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବା ଓ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କୃଷକଙ୍କ ପ୍ରମୁଖ ଦାବି ଥିଲା।

ମଙ୍ଗଳବାର କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ସରକାର ଆମର ସମସ୍ତ ଦାବି ମାନିବେ ବୋଲି ସହମତି ପ୍ରକାଶ କରିଛନ୍ତି ଏବଂ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ସରକାରଙ୍କ ପ୍ରସ୍ତାବ ସ୍ପଷ୍ଟ ହୋଇ ନାହିଁ। ଆସନ୍ତାକାଲି ଅପରାହ୍ନ ୨ଟାରେ ପୁଣି ଆଲୋଚନା ହେବ। ଆମ ଆନ୍ଦୋଳନ କେଉଁଆଡେ ଯାଉ ନାହିଁ, ଏଠାରେ ଜାରି ରହିବ ବୋଲି ରାକେଶ ଟିକାୟତ କହିଛନ୍ତି।

ରାକେଶ ଟିକାୟତ ଏହା ମଧ୍ୟ କହିଛନ୍ତି, ସରକାର ଏହା ମଧ୍ୟ ସ୍ପଷ୍ଟ କରନ୍ତୁ ଯେ, ଏମଏସପି ଉପରେ ହେବାକୁ ଥିବା କମିଟିରେ କିଏ କିଏ ସାମିଲ ହେବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ମାମଲା ସମାଧାନ ଆଡକୁ  ବଢି ସାରିଥିଲା। ମାତ୍ର ବିଳମ୍ବ ଘଟିବା ଦୁଃଖର କଥା। ଯଦି ଆମେ ବର୍ତ୍ତମାନ ଆନ୍ଦୋଳନରୁ ଉଠିଯିବୁ ତେବେ ସରକାର ଆମର ଦାବି ପୂରଣ କରିବେ କି ନାହିଁ ଭରସା ପାଉନାହିଁ। ସରକାରଙ୍କ ପକ୍ଷରୁ ମିଳିଥିବା ଚିଠିରେ ଏମିତି କିଛି ବିନ୍ଦୁ ରହିଛି, ଏହା ଉପରେ ଯଦି ଆମକୁ ସ୍ପଷ୍ଟୀକରଣ ମିଳିଯାଏ ତେବେ ଆନ୍ଦୋଳନ ସାରିବାକୁ ବେଶି ସମୟ ଲାଗିବ ନାହିଁ ବୋଲି ଟିକାୟତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.