ଇଭିଏମ୍ ରେ ସିଲ୍ ହୋଇସାରିଛି ନେତାଙ୍କ ଭାଗ୍ୟ- ୨୪ରେ ଜଣାପଡିବ ବିଜେପୁରରେ କିଏ ବିଜେତା
22/10/2019 at 5:42 PM

ବିଜେପୁର ୨୨.୧୦ -୨୪ରେ ବାହାରିବ ବିଜେପୁର ଫଳ । ଗଣତି ପାଇଁ ପ୍ରଶାସନ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛି । ତେବେ ଏହାପୂର୍ବରୁ ଚାଲିଛି ନେତାଙ୍କ ବୋଲି। କହା ବୋଲିରେ କେଉଁ ପ୍ରାର୍ଥୀ କେତେ ମାର୍ଜିନରେ ଜିତିବେ ସେନେଇ ବୟାନବାଜି ଚାଲିଛି।

ଇଭିଏମ୍ ରେ ସିଲ୍ ହୋଇସାରିଛି ନେତାଙ୍କ ଭାଗ୍ୟ । ସେପଟେ ପ୍ରଚାର ପାଇଁ ଯାଇଥିବା ସବୁଦଳର ନେତାଏ ମନେମନେ ଲଡୁ ଖାଉଛନ୍ତି ଯେ ତାଙ୍କ ଦଳର ପ୍ରାର୍ଥୀ ବହୁ ଭୋଟରେ ଜିତିବେ । ବିଜେଡି କହୁଛି ଏଥର ରୀତା ସାହୁ ୧ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୪୦ ହଜାର ଭୋଟ ପାଇବେ । ମାନେ ୨୦୧୯ରେ ନବୀନ ବିଜେପୁରରେ ଯେତିକି ଭୋଟ ପାଇଥିଲେ ତାଠୁ ବି ଅଧିକ ଭୋଟ ମିଳିବ ରୀତାଙ୍କୁ । ମନ୍ତ୍ରୀ ସୁଶାନ୍ତ ସିଂ ଏହା ପଛର କାରଣ ଦର୍ଶାଇଛନ୍ତି ଯେ ଏହି ନିର୍ବାଚନରେ ବିଜେପି ଓ କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ସେତେଟା ଆଗ୍ରହ ନ ଥିଲା । ତେଣୁ ନିର୍ବାଚନ ଏକପାଖିଆ ହୋଇଛି । ତେବେ ବିଜେପି କହୁଛି ଏଥର ଜନମତ ବିଜେପି ସପକ୍ଷରେ ହିଁ ଥିଲା ଏବଂ ସନତ ଗଡତିଆ ଜିତିବେ । କଂଗ୍ରେସର ଦାବି ବିଜେପୁର ପୁଣି ସେମାନଙ୍କ ଖାତାକୁ ଫେରିବ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏଥର ୨-୩ ହଜାର ଭୋଟରେ ଜିତିବେ ।

ସେପଟେ ଶାନ୍ତିଶୃଙ୍ଖଳାର ସହ ବିଜେପୁର ନିର୍ବାଚନ ସରିବା ପରେ ଭୋଟ ଗଣତି ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଶେଷ କରିଛନ୍ତି । ୨୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେଦିନ ସକାଳ ୮ଟା ରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ୧୪ଟି ଟେବୁଲ୍ ବ୍ୟବସ୍ଥା ହୋଇଛି । ଏବଂ ପ୍ରତି ଟେବୁଲରେ ୪ଜଣ ଲେଖାଏଁ କାର୍ଯ୍ୟ କରିବେ । ଏବଂ ଭୋଟଗଣତି ସ୍ଥଳରେ ମିଡିଆ ସେଣ୍ଟର ରଖିବାକୁ ନିଷ୍ପତ୍ତି ହୋଇଛି ।

ବିଜେପୁରରୁ ଯିଏ ଜିତିଲେ କି ହାରିଲେ ତାର ପ୍ରଭାବ ସେତେଟା ରାଜ୍ୟ ରାଜନୀତି ଉଫରେ ପଡିବାର ନାହିଁ । କିନ୍ତୁ ଭୋଟ ମାର୍ଜିନକୁ ନେଇ ନିଶ୍ଚିତ କଂଗ୍ରେସ, ବିଜେପି, ଓ ବିଜେଡି ଭିତରେ ରାଜନୀତି ଦେଖିବାକୁ ମିଳିବ ।
