ଦେଢ ବର୍ଷ ରାତିରେ ଶୋଇ ପାରିନଥିଲେ, ଏହି ମ୍ୟାଚ୍‌ ବଦଳାଇ ଦେଲା ରବୀନ୍ଦ୍ର ଜାଡେଜାଙ୍କ କ୍ୟାରିୟର

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ ୩୦।୦୫: ଭାରତର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।  କିନ୍ତୁ ସମୟ ଥିଲା ଜାଡେଜା ଭାରତୀୟ ଚୂଡାନ୍ତ ଏକାଦଶରେ ସାମିଲ ହେବାକୁ  ସଂଘର୍ଷ କରୁଥିଲେ। ୨୦୧୮ ଇଂଲଣ୍ଡ ଗସ୍ତ ପୂର୍ବରୁ ଜାଜେଜା ଦୀର୍ଘ ସମୟ ଧରି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳରୁ ବାହାରେ ଥିଲେ। କିନ୍ତୁ ଇଂଲଣ୍ଡ ଗସ୍ତ ଜାଡେଜାଙ୍କ କ୍ୟାରିୟରରେ ନୂତନ ମୋଡ ଆଣିଥିଲା । ଏବେ ଜାଡେଜା ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବିଜୟୀ କରାଇବାକୁ ଝାଳବୁହା ପରିଶ୍ରମ କରୁଛନ୍ତି। ଜାଡେଜା ଭାରତୀୟ ଦଳରେ ସେହି ବଛା ବଛା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଯିଏ ତିନୋଟି ଫର୍ମାଟରେ ଦଳର ପ୍ରତିନିଧିତ୍ୱ କରୁଛନ୍ତି।

୨୦୧୮ ଓଭାଲରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୩୨ ରନର କରିଥିଲା। ଜବାବରେ  ଭାରତ ୬ ୱିକେଟ୍ ହରାଇ ୧୬୦ ରନ  ସଂଘର୍ଷ କରୁଥିଲା। ସେହି ସମୟରେ ଜାଡେଜା ୧୫୬ ବଲ୍‌ରୁ ୮୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ।  ତାଙ୍କ ପ୍ରଦର୍ଶନରେ କୋଚ୍ ରବି ଶାସ୍ତ୍ରୀ କହିଥିଲେ ଯେ, ଏହି ଅଲରାଉଣ୍ଡର ବିଶ୍ୱର ଯେ କୌଣସି ସ୍ଥାନରେ ମଧ୍ୟ ଖେଳି ପାରିବ ।

ଏହି ମ୍ୟାଚକୁ ନେଇ ଜାଡେଜା କହିଛନ୍ତି, ସେହି ଟେଷ୍ଟ ମ୍ୟାଚ୍ ମୋ ପାଇଁ ସବୁ କିଛି ବଦଳାଇ ଦେଲା । ପୁରା ଖେଳ, ମୋର ପ୍ରଦର୍ଶନ, ମୋର ଆତ୍ମ ବିଶ୍ୱାସ, ସବୁ କିଛିରେ ନୂତନ ମୋଡ ଆଣିଥିଲା । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ନିଜର ଆତ୍ମ ବିଶ୍ୱାସ ବୃଦ୍ଧି ଘଟେ ଏବଂ ଏହା ପରବର୍ତୀ ମ୍ୟାଚ୍ ପାଇଁ ଦୃଢତା ପ୍ରଦାନ କରେ ବୋଲି ଜାଡେଜା କହିଛନ୍ତି ।

{"id":459032,"sizeSlug":"large","linkDestination":"none"}

ଜାଡେଜା କହିଛନ୍ତି, ସତ କହିବାକୁ ଗଲେ ଏହି ଦେଢ ବର୍ଷ ରାତିରେ ନିଦ ଆସିନଥିଲା । ମୁଁ ଠିକରେ ଶୋଇ ପାରୁନଥିଲି । ମୁଁ ଚିନ୍ତା କରୁଥିଲି ଯେ, କଣ କରିବି, ଦଳକୁ କେମିତି ପ୍ରତ୍ୟାବର୍ତନ କରିବି ? ମୁଁ ଟେଷ୍ଟ ଦଳରେ ଥିଲି ମାତ୍ର, ଖେଳି ପାରୁନଥିଲି । ମୁଁ ଦିନିକିଆ ଦଳରୁ ବାଦ୍ ପଡିଥିଲି । ଘରୋଇ କ୍ରିକେଟ୍ ମଧ୍ୟ ଖେଳୁନଥିଲି । କାରଣ ମୁଁ ଭାରତୀୟ ଦଳ ସହ ଯାତ୍ରା କରୁଥିଲି । ମୋତେ ନିଜକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳୁନଥିଲା। ମୁଁ ଚିନ୍ତା କରୁଥିଲି ଯେ, ମୁଁ ଚୂଡାନ୍ତ ଏକାଦଶକୁ କେମିତି ଫେରିବି ।

ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେଲେ ଏବଂ ମୁଁ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କଲି । ତେବେଠୁ ମୁଁ ଭଲ ପ୍ରଦର୍ଶନ କରି ଆସୁଛି । ମୋର ମନେ ଅଛି, ଯେବେ ମୁଁ ଉକ୍ତ ଟେଷ୍ଟରେ ବ୍ୟାଟିଂ କରିବାକୁ ଓହ୍ଲାଇଲି ମନରେ କିଛି ଯୋଜନା ନଥିଲା । ମୁଁ କ୍ରିଜରେ ସମୟ ନେଲି ଏବଂ ଡେବ୍ୟୁ କରିଥିବା ହନୁମା ବିହାରୀଙ୍କୁ ମଧ୍ୟ ଏମିତି କରିବାକୁ କହିଥିଲି ବୋଲି ଜାଡେଜା କହିଛନ୍ତି ।  ଜାଡେଜା ଭାରତ ପାଇଁ ଏ ପର୍ଯ୍ୟନ୍ତ ୫୧ଟି ଟେଷ୍ଟ, ୧୬୮ ଦିନିକିଆ ଓ ୫୦ ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲା ଖେଳି ସାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.