କଂଗ୍ରେସ ପରେ ବିଜେପି : ଫେସବୁକ୍ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖରାପ ଶବ୍ଦ ପ୍ରୟୋଗ କରୁଥିବା ଅଭିଯୋଗ କରି ଜୁକରବର୍ଗଙ୍କୁ ଚିଠି ଲେଖିଲେ ରବିଶଙ୍କର ପ୍ରସାଦ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ, ୦୧|୦୯:   କେନ୍ଦ୍ରୀୟ ସୂଚନା  ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ମଙ୍ଗଳବାର ପତ୍ର ଲେଖିଛନ୍ତି । ଏହାସହ ସେ ପତ୍ରରେ ଫେସବୁକ ଉପରେ ଭେଦଭାବର ଆରୋପ ଲଗାଇଛନ୍ତି ।

ସେ ପତ୍ରରେ ଲେଖିଛନ୍ତି ଯେ, ଫେସବୁକ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଫେସବୁକ ଅନେକ ପେଜ୍‌କୁ ଡିଲିଟ୍ କରିଛି । ଏହାକୁ ନେଇ ଫେସବୁକକୁ ଅନେକ ଇମେଲ୍ କରାଯାଇଛି । କିନ୍ତୁ ଭାରତର ଫେସବୁକ୍ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇନଥିଲା ।

wp:html /wp:html

ରବିଶଙ୍କର ପ୍ରସାଦ ସେହି ସମୟରେ ପତ୍ର ଲେଖିଛନ୍ତି ଯେତେବେଳେ ଓ୍ୱାର୍ଲ୍ଡ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଏହି ରିପୋର୍ଟରେ ଫେସବୁକ ବିଜେପିକୁ ସମର୍ଥନ କରୁଥିବା କୁହାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ଫେସବୁକ୍ ଭେଦଭାବ କରୁଛି । ବିଜେପି ସମର୍ଥିତ ପେଜର କଣ୍ଟେଣ୍ଟ୍ ଡିଲିଟ୍ କରୁନାହିଁ । ରିପୋର୍ଟ କରିବା ସତ୍ତ୍ୱେ ଆକାଉଣ୍ଟ ଡିଲିଟ୍ କରୁନାହିଁ । ଏହାପରେ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିବା ସହ ଫେସବୁକ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଥିଲା ।

ରବିଶଙ୍କର ପ୍ରସାଦ ଫେସବୁକ କର୍ମଚାରୀଙ୍କ ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରୁଥିବା ଅଭିଯୋଗ ଲଗାଇଛନ୍ତି । ପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, କୌଣସି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ବ୍ୟକ୍ତିଗତ ପସନ୍ଦ ଓ ନାପସନ୍ଦ ରହିଥାଏ । କିନ୍ତୁ ଏହାକୁ ସାର୍ବଜନୀନ ନୀତି ଓ କମ୍ପାନୀର ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଇବା ଅନୁଚିତ୍ ।

ସେହିପରି କଂଗ୍ରେସ ମଧ୍ୟ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପତ୍ର ଲେଖି ବିଜେପି ପ୍ରତି ଆନୁଗତ୍ୟ ଦେଖାଇଥିବା କର୍ମଚାରୀଙ୍କ ବିରୋଧରେ କଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କରିଥିଲା । ଏହାସହ ଫେସବୁକର କିଛି କର୍ମଚାରୀ ଓ ଫେସବୁକ ମଧ୍ୟରେ ଥିବା ସମ୍ପର୍କରେ ଯାଞ୍ଚ ହେବା ଜରୁରୀ ବୋଲି କଂଗ୍ରେସ ଦାବି କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.