ନୂଆଦିଲ୍ଲୀ ୨୬।୦୧: ୨୦୨୪ ଲୋକସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ହରାଇବା ସମ୍ଭବ। ସର୍ତ୍ତ ଏହା ଯେ, ହରାଇବା ପାଇଁ ଦୃଢ ବିରୋଧୀ ଦଳ ଦରକାର। ମାତ୍ର ସାଂପ୍ରତିକ ରାଜନୀତି ପରିସ୍ଥିତିରେ ଏମିତି ହେବା ଦେଖାଯାଉ ନାହିଁ। ଏହା କହିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର।
ନିର୍ବାଚନୀ ମହାରଥୀ ପ୍ରଶାନ୍ତ କିଶୋର କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାରଙ୍କ ସାମ୍ନାରେ ମଜବୁତ ବିରୋଧୀ ଦଳ ରହିବେ ନାହିଁ, ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ପାଇଁ କୌଣସି ସମସ୍ୟା ରହିବ ନାହିଁ। ଯଦି ଏହି ଦୁଇ ବର୍ଷରେ ବିରୋଧୀ ମଜବୁତ ହୁଏ ତେବେ ରାଜନୈତିକ ପରିଦୃଶ୍ୟରେ ପରିବର୍ତ୍ତନ ଆସିପାରେ।
ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡିକୁ ଗୋଟିଏ ଛାତ ତଳେ ଆଣିବାକୁ ପ୍ରୟାସ ଚଳାଇଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଆଗାମୀ ପାଞ୍ଚ ବିଧାନସଭା ନିର୍ବାଚନରେ ଯଦି ଫଳାଫଳ କେନ୍ଦ୍ର ସରକାରଙ୍କ ବିରୋଧରେ ଆସେ ତେବେ ୨୦୨୪ରେ ବିଜେପିକୁ ହରାଇାବା ସମ୍ଭବ। ବିରୋଧୀ ଦଳଗୁଡିକୁ ଏହି ଦୁଇ ବର୍ଷରେ ନିଜର ସ୍ଥିତି ସୁଦୃଢ କରିବାକୁ ପଡିବ।
ସମାଚାର ଚ୍ୟାନେଲ୍ ଏନଡିଟିଭି ସହ ଆଲୋଚନା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି, ବିରୋଧୀ ଦଳ ଭାେ କଂଗ୍ରେସ ଭଲ ପାର୍ଟି, ଏହାର ବିଚାରଧାରା ମଧ୍ୟ ମଜବୁତ। ଏମିତିରେ କଂଗ୍ରେସ ବିନା ବିରୋଧୀ ଦଳ ଶାସକ ବିଜେପି ବିରୋଧରରେ ଲଢିବା ମୁସ୍କିଲ। ମାତ୍ର ବର୍ତ୍ତମାନର କଂଗ୍ରେସର ଯାହା ସ୍ଥିତି ସେ କେବେ ବି ବିଜେପିକୁ ଟକ୍କର ଦେଇ ପାରିବ ନାହିଁ। କାରଣ କଂଗ୍ରେସକୁ ନିଜ ସ୍ତରରେ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି। କଂଗ୍ରେସକୁ ପ୍ରଥମେ ନିଜ ଘର ସଜାଡିବାକୁ ପଡିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ବିଜେପି ହିନ୍ଦୁତ୍ଵ, ରାଷ୍ଟ୍ରବାଦ ଏବଂ ବିକାଶ ପ୍ରସଙ୍ଗକୁ ଏକ ସଙ୍ଗେ ସମାହିତ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବେ ପ୍ରଭାବଶାଳୀ ବ୍ୟକ୍ତିତ୍ଵକୁ ଜନତା ମଧ୍ୟରେ ଉପସ୍ଥାପନ କରିଛି। ବିଜେପି ଜନତାଙ୍କ ଭରସା ଜିତିବାରେ ସଫଳ ରହିଛି। ଯଦି ବିଜେପିକୁ ମାତ୍ ଦେବାର ଅଛି ତେବେ ଅତି କମରେ ହିନ୍ଦୁତ୍ଵ, ରାଷ୍ଟ୍ରବାଦ ଏବଂ ବିକାଶ ମଧ୍ୟରୁ ଦୁଇଟି ପ୍ରସଙ୍ଗରେ ବିରୋଧୀ ଦଳକୁ ବିଜେପିଠୁ ଆଗରେ ଯିବାକୁ ପଡିବ।