ପିଲାଙ୍କ ହିତ ପାଇଁ ଆଇନ୍ ମାନିବା ଜରୁରୀ ନୁହେଁ , ବାପାଙ୍କୁ ଝିଅର ଦାୟିତ୍ବ ଦେଇ କହିଲେ ସୁପ୍ରିମ କୋର୍ଟ
2/01/2020 at 12:34 PM

ନୂଆଦିଲ୍ଲୀ ୨/୧: ସୁପ୍ରିମ କୋର୍ଟ ଏକ ନିଆରା ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ଯଦି ପିଲାଙ୍କ ହିତ କଥା ଉଠେ ତେବେ କୌଣସି ବିଧାନ,ପ୍ରକ୍ରିୟା କିମ୍ବା ନିୟମକୁ ମାନିବା ଜରୁରୀ ନୁହେଁ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ପିଲାଙ୍କ ହିତ ସର୍ବୋପରି ହୋଇଥାଏ। ଜଷ୍ଟିସ୍ ୟୁୟୁ ଲଲିତ,ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏକ ପାରିବାରିକ ବିବାଦ ମାମଲାରେ ଏପରି କିଛି ନିଷ୍ପତ୍ତି ଶୁଣାଇଛନ୍ତି ।
ସ୍ବାମୀ -ସ୍ତ୍ରୀଙ୍କ ମାମଲାରେ ୧୨ବର୍ଷ ବୟସ୍କା ନାବାଳିକାଙ୍କୁ ବାପାଙ୍କ ହେପାଜତରେ ଛାଡିବାକୁ ଆଦେଶ ଦେଇଛି ସୁପ୍ରିମକୋର୍ଟ। ନାବାଳିକାଙ୍କ ମାଆଙ୍କ ଏହି ଅଭିଯୋଗକୁ ଖାରଜ କରି ଦେଇଛନ୍ତି ତିନିଜଣିଆ ଖଣ୍ଡପୀଠ। ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଥିଲା ଯେ ନାବାଳିକାଙ୍କ ବାପା ତାଙ୍କ ସହ ଖରାପ ବ୍ୟବହାର କରୁଥିଲେ। ନାବାଳିକାଙ୍କ ମାଆ କହିଥିଲେ ଯେ ତାଙ୍କ ପିଲାଙ୍କୁ ବାପାଙ୍କ ସହ ରହିବାକୁ ଅନୁମତି ଦେବା କୌଣସି ବିପଦଠୁ କମ୍ ନୁହେଁ।
ତେବେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖି ବିଚାରପତିମାନେ ନାବାଳିକା ଏବଂ ତାଙ୍କ ବାପା-ମାଆଙ୍କ ସହ କଥା ହୋଇ ନେଇଥିବା ନିଷ୍ପତ୍ତିରେ କହିଥିଲେ,ନାବାଳିକା ଭଲ ଭାବେ ଅବଗତ ଯେ ସେ କାହା ସହ ରହିବାକୁ ଚାହୁଁଛି ଏବଂ କେଉଁଠି ତା’ର ଭଲ ବା ମଙ୍ଗଳ ରହିଛି। ସୂଚନାଯୋଗ୍ୟ ନାବାଳିକା ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ସେ ବାପାଙ୍କୁ ପସନ୍ଦ କରେ ଏବଂ ତାଙ୍କ ସହ ରହିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲା।
ବାପା କେବଳ ଝିଅର ଖାଇବା-ପିଇବା,ଶିକ୍ଷା ଆଦିର ଧ୍ୟାନ ରଖୁନଥିଲେ,ବରଂ ସେ ସମସ୍ତ ଖିଆଲ ରଖୁଥିଲେ , ଏପରିକି ଝିଅର ସ୍କୁଲର ପ୍ରୋଜେକ୍ଟ ଏବଂ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ତେଣୁ ସୁପ୍ରିମ କୋର୍ଟ ଦିଲ୍ଲୀର ଏକ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖି ନାବାଳିକା ଝିଅର ହେପାଜତ ବାପାଙ୍କୁ ଦେଇଥିଲେ ଏବଂ ମାଆଙ୍କ ସହ ଦେଖା କରିବାକୁ ଅନୁମତି ଦେବାର ଆଦେଶକୁ ମଧ୍ୟ ସଠିକ୍ ଦର୍ଶାଇଥିଲେ।