ଭୋପାଲ Honey trap ମାମଲା: ତଦନ୍ତ ଲାଗି ଅଣ୍ଟାଭିଡିଲେ ଆୟକର ବିଭାଗ
22/01/2020 at 8:04 PM

ଭୋପାଲ ୨୨।୧: ସାରା ଦେଶରେ ଚହଳ ପକାଇଥିବା ଭୋପାଲ ହନିଟ୍ରାପ୍ ମାମଲାରେ ଆୟକର ବିଭାଗ ତଦନ୍ତ ତ୍ୱାରାନ୍ୱିତ ହୋଇଛି। ମାମଲାର ତଦନ୍ତ କରୁଥିବା ଏସଆଇଟି ବିଭାଗର ତଦନ୍ତ ବେଳେ ରାଡାରକୁ ଆସିଥିବା ସମସ୍ତ ଧଳାହାତୀଙ୍କ ବିସ୍ତୃତ ବିବରଣୀ ସମେତ ସେମାନଙ୍କର ଅଡିଓ-ଭିଡିଓ ସାକ୍ଷରୁ ଆରମ୍ଭ କରି ନେଣଦେଣର ସମସ୍ତ ସୂଚନା ଏବେ ଆୟକର ବିଭାଗ ତଲବ କରିଛନ୍ତି। ମାମଲାରେ ଜଡିତ ସମସ୍ତଙ୍କର ଆର୍ଥିକ ନେଣଦେଣ ଓ ସମ୍ପତ୍ତିର ଆୟକର ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି।

ପୂର୍ବରୁ ମଧ୍ୟ ଆୟକର ବିଭାଗ ଏ ନେଇ ୨ ଥର ଏସଆଇଟିକୁ ପତ୍ର ଲେଖିସାରିଛନ୍ତି। ହେଲେ ଏସଆଇଟି ମାମଲାରେ ନିରବତା ଅବଲମ୍ବନ କରୁଥିଲା। ତେବେ ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ହାଇକୋର୍ଟରେ ନିଜ ପକ୍ଷ ରଖିବା ପରେ କୋର୍ଟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆୟକର ବିଭାଗ ଏବେ ସକ୍ରିୟ ହୋଇଉଠିଥିବା ବେଳେ ଗତ ସପ୍ତାହରେ ଶ୍ୱେତା ବିଜୟ ଓ ଶ୍ୱେତା ସ୍ୱପ୍ନିଲ ଜୈନଙ୍କ ସମେତ ଆରତୀ ଦୟାଲଙ୍କୁ ଦୀର୍ଘ ୨୦ ଘଣ୍ଟାକାଳ ପଚରାଉଚରା କରିଛି। ଏହି ଦୀର୍ଘ ପଚରା ଉଚରାରୁ ଆୟକର ବିଭାଗ ପ୍ରଦେଶର ଅନେକ ଅଧିକାରୀ ଓ ବ୍ୟବସାୟୀଙ୍କ ସୂଚନା ପାଇଥିବା ଜଣାପଡିଛି। ଏଣୁ ଆୟକର ବିଭାଗ ଏବେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ହେଉଥିବାର ଆକଳନ କରାଯାଉଛି।

ମଧ୍ୟପ୍ରଦେଶ ହନିଟ୍ରାପ ଘଟଣା ପ୍ରଚାରିତ ହେବା ପରେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଇନ୍ଦୋର ନଗର ନିଗମର ଇଞ୍ଜିନିୟର ହରଭଜନଙ୍କୁ ଆରତୀ ଦୟାଲ ୩ କୋଟି ଟଙ୍କା ମାଗିବା ପରେ ଘଟଣା ପୋଲିସକୁ ଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ୫ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସେମାନେ ବ୍ୟବାହର କରିଥିବା ମୋବାଇଲ ଫୋନ ଖୋଲିଥିଲା ଗୁମର । ଏଥିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସାଂସଦ,ବିଜେପି ଓ କଂଗ୍ରେସର ଅନେକ ନେତାଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସମ୍ପୃକ୍ତି ଜଣାପଡିଥିଲା।