‘ଶିଶୁଲେଖା’ରେ ମନୋଜ ଦାସଙ୍କ ବିକୃତ ଫଟୋକୁ ନେଇ ପ୍ରଶଂସକ ଓ ସାହିତ୍ୟପ୍ରେମୀ କ୍ଷୁବ୍ଧ, ତୁରନ୍ତ ତ୍ରୁଟି ସଂଶୋଧନ ଓ କ୍ଷମାପ୍ରାର୍ଥନା ଦାବି

Published By : Prameya-News7 Bureau | September 07, 2021 IST

ଭୁବନେଶ୍ୱର, ୦୭।୦୯: ଚଳିତ ମାସ ଓଡିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି । ଏହା ନିଶ୍ଚିତ ରୂପେ ମନୋଜ ଦାସଙ୍କ ପାଠକଙ୍କୁ ଆନନ୍ଦିତ କରିବା କଥା । ମାତ୍ର ମର୍ମାହିତ କରିଛି । କାରଣଟି ଏହାଯେ, ପତ୍ରିକାଟିରେ ମନୋଜ ଦାସଙ୍କ ଫଟୋକୁ ବିକୃତ କରି ପ୍ରକାଶିତ କରାଯାଇଛି । ଜଣେ ଯୁଗଜନ୍ମା ସାଧକଙ୍କ ଫଟୋକୁ କମ୍ପ୍ୟୁଟର ଜରିଆରେ ସମ୍ପାଦନା(ଏଡିଟ) କରି କଦର୍ଯ୍ୟ କରାଯାଇଛି । ମୂଳ ଫଟୋ ବଦଳରେ ବିକୃତ କରାଯାଇଥିବା ଫଟୋଟି ପତ୍ରିକାରେ ସ୍ଥାନିତ କରାଯାଇଛି । ସଂସ୍କରଣରେ ସ୍ଥାନିତ ପ୍ରବୀଣା ମହାନ୍ତିଙ୍କ ନିବନ୍ଧଟିରେ ଏପରି ହୋଇଛି ।

ଶିଶୁମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଏହି ପତ୍ରିକା ଜଣେ ପ୍ରସିଦ୍ଧ ଲେଖକଙ୍କର ଫଟୋକୁ ଭିନ୍ନ ରୂପ ଦେବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାଟି ମନୋଜ ସାହିତ୍ୟ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ସେମାନଙ୍କ ଭାବାବେଗକୁ କୁଠାରଘାତ କରିଛି । ଶତାଧିକ ପାଠକ, ପାଠିକା ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତୁରନ୍ତ ‘ଶିଶୁଲେଖା’ର ଏହି ବିଶେଷାଙ୍କକୁ ବାଜ୍ୟାପ୍ତି, ପୁଣି ସଂଶୋଧିତ ସଂଖ୍ୟା ପ୍ରକାଶ କରିବା ଓ ସମ୍ପାଦକ ସର୍ବସାଧାରଣ ମଞ୍ଚରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି ।

{"id":507841,"sizeSlug":"full","linkDestination":"none"}

ପାଠିକା ସାସ୍ୱତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ତୁରନ୍ତ ‘ଶିଶୁଲେଖା’ର ପ୍ରସାରଣ ବନ୍ଦ କରିବା ସହ ଯିଏ ଉତ୍ତରଦାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପାଠିକା ସୁଷମା ତ୍ରିପାଠୀ କ୍ଷୁବ୍ଧ ହୋଇ ଲେଖିଛନ୍ତି ଯେ, ମନୋଜ ଦାସଙ୍କ ଫଟୋକୁ ବିକୃତ କରି ଛପାଯିବା ଦୁର୍ଭାଗ୍ୟର ବିଷୟ । ଏହା କେବଳ ମନୋଜ ଦାସଙ୍କ ପ୍ରତି ଅବଜ୍ଞାକୁ ସୂଚାଉ ନାହିଁ, ଗୋଟିଏ ଜାତି ପ୍ରତି ମଧ୍ୟ । ପ୍ରଥମଃ ଶିଶୁମାନଙ୍କ ପାଇଁ କିଛି କରିବା ବେଳେ ସେମାନଙ୍କ ସମ୍ବେଦନଶୀଳତା ପ୍ରତି ଅଧିକ ପ୍ରଯତ୍ନ ରହିବାକୁ ପଡେ । ଏଥିରୁ ଜଣାପଡୁଛି, ଏହି ପତ୍ରିକାଟି(ଶିଶୁଲେଖା) ସହିତ ଜଡିତ ଥିବା ବ୍ୟକ୍ତିତ୍ୱମାନେ କେତେ ସଚେତନ ଶିଶୁ ମନସ୍ତତ୍ତ୍ୱ ପ୍ରତି ।

ପାଠକ ସମୀର ରଞ୍ଜନ ଦାସ, ସୁଦର୍ଶନ ଦାସ, ରବିନାରାୟଣ ସେନାପତି, ତ୍ରୈଲୋକ୍ୟନାଥ ବେହେରାଙ୍କ ସମେତ ଶହ ଶହ ପାଠକ ସେମାନଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରସଙ୍ଗକୁ କିଛି ଦିନ ବିତିଗଲାଣି ହେଲେ, ସମ୍ପାଦକ କିମ୍ବା ସମ୍ପାଦନ ମଣ୍ଡଳୀ ପକ୍ଷରୁ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ପ୍ରସାରଣ ସଂଖ୍ୟାକୁ ଏ ପର୍ଯ୍ୟନ୍ତ ରୋକାଯାଇନି । ଏହା ସମସ୍ତଙ୍କୁ ଅଧିକ ମର୍ମାହତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.