ପିଏସ୍ଏଲଭି ସି-୪୨ ମହାକାଶ ଯାନ ସହ ୨ଟି ବ୍ରିଟେନ୍ ଉପଗ୍ରହକୁ ମହାକାଶକୁ ପ୍ରେରଣ କଲା ଇସ୍ରୋ
17/09/2018 at 11:55 AM

ଆନ୍ଧ୍ରପ୍ରଦେଶ ୧୭|୯: ରବିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲଭି ସି-୪୨ ମହାକାଶ ଯାନ ସହ ୨ଟି ବ୍ରିଟେନ୍ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି ଇସ୍ରୋ । ଏହି ୨ ଉପଗ୍ରହ ପୃଥିବୀର ଗତିବିଧି ଉପରେ ନଜର ରଖିବେ। ଏହି ଦୁଇ ଉପଗ୍ରହ ନାମ ନୋଭା ସାର ଏବଂ ଏସ୍୧-୪ ରହିଛି। ଏହା ପିଏସ୍ଏଲଭିର ୪୪ ତମ ଉତ୍କ୍ଷେପଣ ଥିଲା। ଏହାସହ ଭାରତୀୟ ମହାକାଶ ଶିଳ୍ପ ଲାଭଜନକ ବ୍ୟବସାୟ କରିଛି। ଗତ ୩ ବର୍ଷ ମଧ୍ୟରେ ଇସ୍ରୋ ୫ହଜାର ୬ ଶହ କୋଟି ଟଙ୍କା ଆୟ କରିଛି। ବ୍ରିଟେନ୍ର ସରେ ସାଟେଲାଇଟ୍ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ପ୍ରସ୍ତୁତ ଦୁଇ ଉପଗ୍ରହର ଓଜନ ୮୮୯ କିଲୋ ରହିଛି। ରବିବାର ରାତି ୧୦ ଟା ୮ ମିନିଟ୍ରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ପିଏସ୍ଏଲଭି ସି-୪୨ର ଉତ୍କ୍ଷେପଣ କରାଯାଇଥିଲା। ପ୍ରଥମ ପ୍ରର୍ଯ୍ୟାୟରେ ପ୍ରଥମ ଖଣ୍ଡ ୨ ମିନିଟରେ ଯାନରୁ ଅଲଗା ହୋଇଥିଲା ଓ ୧୭ ମିନିଟ୍ ପରେ ଚତୁର୍ଥ ଖଣ୍ଡ ଯାନରୁ ଅଲଗା ହୋଇଥିଲା। ୧୭ ମିନିଟ୍ ୪୪ ସେକେଣ୍ଡର ଉଡ଼ାଣ ପରେ ଦୁଇ ଉପଗ୍ରହ ପିଏସ୍ଏଲଭିରୁ ଅଲଗା ହୋଇ ୫୮୩ କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ଦଳକୁ ଅଭିନନ୍ଦନ ଜଣାଇଥିଲେ।