ଭାରତ ସହ ୮ଟି ଦେଶର ୩୦ଟି ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କଲା ଇସ୍ରୋ

Published By : Prameya-News7 Bureau | November 29, 2018 IST

ନୂଆଦିଲ୍ଲୀ ୨୯|୧୧:  ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଆଜି ଭାରତ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଆଜି ସକାଳ ୯ଟା ୫୮ ମିନିଟରେ ପୃଥିବୀ ନୀରିକ୍ଷଣ ଉପଗ୍ରହ ସହିତ ୮ଟି ଦେଶର ୩୦ଟି ମାଇକ୍ରୋ ଓ ନାନୋ ସାଟେଲାଇଟକୁ ସଫଳତାର ସହ ଅନ୍ତରୀକ୍ଷକୁ ଉତକ୍ଷେପଣ କରିଛି ଇସ୍ରୋ । ପିଏସଏଲଭି ସି-୪୩ ମହାକାଶ ଯାନରେ ଏହି ସବୁ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ସଫଳତା ଅର୍ଜନ କରିଛି । ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ପୃଥିବୀର ଉପରିଭାଗ ଉପରେ ନଜର ରଖିବା ସହିତ ମୂର୍ତ୍ତିକା, ଜଳ, ସବୁଜବନାନୀ ସଂପର୍କରେ ତଥ୍ୟ ସଂଗ୍ରହ କରି ପଠାଇବ। ଏପରିକି ପ୍ରଦୂଷଣ ମନିଟରିଂ କରିବା କ୍ଷମତା ମଧ୍ୟ ଏହି ଉପଗ୍ରହର ରହିଛି । ଏହି ଉପଗ୍ରହର ଓଜନ ୩୮୦ କିଲୋଗ୍ରାମ ହୋଇଥିବା ବେଳେ ଏହାକୁ ୬୩୬ କିଲୋମିଟର ଉପରେ ଅବସ୍ଥାପିତ କରାଯାଇଛି । ୫ ବର୍ଷର ଜୀବନ ଅବଧି ଥିବା ଏହି ସାଟେଲାଇଟ୍  ଜରିଆରେ ସମଗ୍ର ପୃଥିବୀ ଉପରେ ନଜର ରଖାଯାଇ ପାରିବ । ଏହି ଉପଗ୍ରହ ସହିତ ଅଷ୍ଟ୍ରେଲିଆ, କାନାଡ଼ା, କଲମ୍ବିଆ, ଫିନ୍ ଲ୍ୟାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡ, ସ୍ପେନ ଓ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୯ଟି ନାନୋ ଉପଗ୍ରହକୁ ପଠା ଯାଇଛି। ଉପଗ୍ରହ ଗୁଡ଼ିକ ମଧ୍ୟରେ କେବଳ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୨ଟି ନାନୋ ଉପଗ୍ରହ ରହିଛି। ବର୍ତ୍ତମାନ ସୁଦ୍ଧା ପିଏଓଏଲଭି ୨୮ଟି ଦେଶର ୨୩୯ଟି ଉପଗ୍ରହ ସହିତ ଭାରତର ୫୨ଟି ଉପଗ୍ରହକୁ କକ୍ଷ ପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.