Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚନ୍ଦ୍ରରେ ପହଞ୍ଚିବାକୁ ୩ଲକ୍ଷ ୮୪ ହଜାର କିଲୋମିଟର ପଥ ଅତିକ୍ରମ କରିବ ଚନ୍ଦ୍ରଯାନ-୨, ଲାଗିବ ୪୮ ଦିନ

22/07/2019 at 6:04 PM

ଶ୍ରୀହରିକୋଟା୨୨|୭: ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ । ପ୍ରାଥମିକ ପର୍ଯ୍ୟାୟରେ  ପୃଥିବୀ କକ୍ଷ ପଥରେ ଅବସ୍ଥାପିତ ହୋଇଛି ଚନ୍ଦ୍ରଯାନ-୨ ।  ଅପରାହ୍ନ ଠିକ୍ ୨ଟା ୪୩ ମିନିଟରେ ମହାକାଶକୁ ଅଭିଯାନ ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।  ସଫଳ ଉତକ୍ଷେପଣ ନେଇ ଇସ୍ରୋ ଚେୟାରମ୍ୟାନ କେ.ଶିଭନ୍ ବୈଜ୍ଞାନିକ ଓ ଇଞ୍ଜିନିୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେପଟେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପାଇଁ ସାରା ଦେଶ ଉଲ୍ଲସିତ ।

ଇତିହାସ ରଚିଲା ଭାରତ । ଅନେକ ଅପେକ୍ଷା ପରେ ଆଜି ଦିନ ୨ଟା ୪୩ ମିନିଟରେ ଶ୍ରୀହରିକୋଟାରୁ GSLV MK 3 ରକେଟ୍ ସାହାଯ୍ୟରେ ଅନ୍ତରୀକ୍ଷକୁ ଅଭିଯାନ ଆରମ୍ଭ କରିଛି ଚନ୍ଦ୍ରଯାନ-୨ । ଅଭିଯାନ ଆରମ୍ଭ କରିବାର ୧୫ ମିନିଟ୍ ପରେ ଏହା ପ୍ରଥମ ସୋପାନ ପାର କରିବା ସହ ପୃଥିବୀର କକ୍ଷ ପଥରେ ଘୁରିବା ଆରମ୍ଭ କରିଛି ।

ଇସ୍ରୋ ଚେୟାରମ୍ୟାନ୍‌ କେ.ଶିଭନ୍‌ କହିଛନ୍ତି ଚନ୍ଦ୍ରାୟନ-୨ ଉତକ୍ଷେପଣ ସଫଳ ହୋଇଛି ଓ ଆଶାଠାରୁ ଅଧିକ ସଫଳତା ମିଳିଛି । ଏହା ଭାରତ ପାଇଁ ଏକ ଐତିହାସିକ ଯାତ୍ରା ବୋଲି ସେ କହିଛନ୍ତି । ସଫଳ ଉତକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞାନିକ, ଇଞ୍ଜିନିୟର ଓ ପୂରା ଟିମ୍‌କୁ ସେ ଧନ୍ୟବାଦ ଦେଇଛନ୍ତି  ।

ଆସନ୍ତା ୧୭ ଦିନ ଧରି ଏହା ପୃଥିବୀ ଚାରିପଟେ ଘୁରିବା ପରେ ଚନ୍ଦ୍ରମୁହାଁ ହେବ । ଚନ୍ଦ୍ର କକ୍ଷପଥରେ ପହଞ୍ଚିବା ପାଇଁ ୫ ଦିନ ସମୟ ଲାଗିବ । ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ ୨୨ ଦିନ ଘୁରିବ । ଚନ୍ଦ୍ର କକ୍ଷପଥରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ-୨ । ଅରବିଟର୍ ଏବଂ ଲ୍ୟାଣ୍ଡର ଭାବରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ । ଚନ୍ଦ୍ର ଚାରିପଟେ ଘୁରିବ ‘ଅରବିଟର୍’ । ଏହାର ଜୀବନକାଳ ୧ବର୍ଷ  ।

 ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବ ।  ଏଥିପାଇଁ ୪ଦିନ ସମୟ ଲାଗିବ । ଶେଷରେ ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ‘ବିକ୍ରମ’ । ଭାରତୀୟ ମହାକାଶ ଗବେଷଣାର ପିତାମହ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ନାମ ଅନୁଯାୟୀ ଏହି ଲାଣ୍ଡର ନାଁ ରଖାଯାଇଛି ।  

ଚନ୍ଦ୍ରପୃଷ୍ଠରେ ପହଞ୍ଚି ଲାଣ୍ଡର ବିକ୍ରମ ବେଙ୍ଗାଲୁରୁଠାରେ ଥିବା ଇସ୍ରୋର ନିୟନ୍ତ୍ରଣ କେନ୍ଦ୍ର ସହ ଯୋଗାଯୋଗ କରିବ ।  ଏହାପରେ ଲାଣ୍ଡରର ଗୋଟିଏ ପଟ ଘୋଡଣୀ ଖୋଲିଯିବ । ଏହା ଭିତରୁ ରୋଭର ପ୍ରଜ୍ଞା ଧୀରେ ଧୀରେ ବାହାରକୁ ବାହାରି ଆସିବ । ୬ଚକ ବିଶିଷ୍ଟ ରୋଭର ଚନ୍ଦ୍ର ପୃଷ୍ଠରେ ସୌରଶକ୍ତିରେ ଚାଲିବ ।

ଚନ୍ଦ୍ରପୃଷ୍ଠର ଗଠନ ସଂପର୍କରେ ପରୀକ୍ଷା କରିବା ସହ ସୌରମଣ୍ଡଳ ସୃଷ୍ଟିର ରହସ୍ୟ ଭେଦ କରିବ ରୋଭର ପ୍ରଜ୍ଞା । ଚନ୍ଦ୍ରପୃଷ୍ଠରେ ପାଣି ଏବଂ ଖଣିଜର ସନ୍ଧାନ କରିବ ଚନ୍ଦ୍ରଯାନ । ଚନ୍ଦ୍ର କକ୍ଷ ପଥରେ ପହଞ୍ଚିବା ଓ ଓହ୍ଲାଇବା ପ୍ରକ୍ରିୟା ଏହି ଦୁଇ ସୋପାନ ହିଁ ସବୁଠାରୁ କଠିନ ସମୟ ବୋଲି କୁହାଯାଉଛି । ଯାହା ଉପରେ ଇସ୍ରୋ ବୈଜ୍ଞାନିକମାନେ ନଜର ରଖିଛନ୍ତି ।

ଚନ୍ଦ୍ରରେ ପହଞ୍ଚିବାକୁ ୩ଲକ୍ଷ ୮୪ ହଜାର କିଲୋମିଟର ପଥ ଅତିକ୍ରମ କରିବ ଚନ୍ଦ୍ରଯାନ-୨ । ମୋଟାମୋଟି ୪୮ ଦିନ ସମୟ ଲାଗିବ । ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି  

   Related Posts