ମହାକାଶରେ ଟଳିଲା ବଡ଼ ବିପଦ: ଧ୍ବଂସ ପାଇବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ସାଟେଲାଇଟ୍‌, ଏମିତି କହିଲେ ଇସ୍ରୋ ମୁଖ୍ୟ

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧: ମହାକାଶରେ ବଡ଼ ବିପଦ ଟଳିଲା। ଭାରତର ଉପଗ୍ରହ କାର୍ଟୋସାଟ-ଏଏଫ୍‌ ଓ ଋଷର ଏକ ଉପଗ୍ରହ ମଧ୍ୟରେ ଧକ୍କା ହେବାକୁ ଯାଉଥିଲା। ଗୋଟିଏ ସମୟରେ ସେଗୁଡ଼ିକ ମଧ୍ୟରେ ଦୂରତା କେବଳ ୨୨୪ ମିଟର ଥିଲା। କିନ୍ତୁ ଏହି ଦୂରତାକୁ ଇସ୍ରୋ ପକ୍ଷରୁ ୪୨୦ ମିଟର ବୋଲି କୁହାଯାଇଛି । ଏଭଳି ବଡ଼ ଅଘଟଣ ଶୁକ୍ରବାର ଦିନ ଘଟିବାକୁ ଯାଉଥିବା ଜଣାପଡ଼ିଛି।

ବଡ଼ ବିପଦ ଟଳି ଯିବା ପରେ ଋଷର ମହାକାଶ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଜେନ୍ସି ଅନୁସାରେ ଭାରତର ଏକ କୃତ୍ରିମ ସାଟେଲାଇଟ୍‌(ଉପଗ୍ରହ) ଋଷର ଉପଗ୍ରହ କାନୋପସ୍‌-ଭି’ର କେବଳ ୨୨୪ କିମି ଦୂରରେ ରହିଯାଇଥିଲା। କିନ୍ତୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ପୃଥିବୀର ତଳ କକ୍ଷରେ ବୁଲୁଥିବା ଏହି ଦୁଇ ସାଟେଲାଇଟ୍‌ ଗ୍ରହର ପ୍ରତିଟି ଗତି ଉପରେ ସୂଚନା ଦେଉଥିବା ଜଣାପଡ଼ିଛି। ଦୁଇଟି ଯାକ ଉପଗ୍ରହ ରିମୋଟ ସେନ୍ସିଂ ବୋଲି ଜଣାପଡ଼ିଛି।

ସେପଟେ ଋଷର ମହାକାଶ ଏଜେନ୍ସିର ସହଯୋଗୀ ସଂସ୍ଥା ସ୍ନିମାସ୍‌ର ଆକଳନ ଅନୁସାରେ, ନଭେମ୍ବର ୨୭ ତାରିଖରେ ୭୦୦ କେଜିର କାର୍ଟୋସାଟ୍‌-ଏଏଫ ଋଷର କାନୋପସ୍‌-ଭିର ବହୁ ନିକଟତର ହୋଇଥିଲା। ଦୁଇ ଉପଗ୍ରହ ମଧ୍ୟରେ ନ୍ୟୁନତମ ଦୂରତା ୨୨୪ ମିଟର ଥିଲା ।

ସେପଟେ ଏଭଳି ଏକ ବିପଦ ସମ୍ପର୍କରେ ଇସ୍ରୋ ମୁଖ୍ୟ ସ୍ବୀକାର କରିଛନ୍ତି। କେ. ଶିବନଙ୍କ ଅନୁସାରେ ଦୁଇ ଉପଗ୍ରହ ନିକଟତର ହୋଇଥିଲେ କିନ୍ତୁ ସେଗୁଡ଼ିକ ମଧ୍ୟରେ ଦୂରତା ୪୨୦ ଥିଲା। ଟାଇମ୍ସ ଅଫ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ଶିବନ୍‌ କହିଛନ୍ତି, ଦୁଇ ଉପଗ୍ରହ ମହାକାଶରେ ନିକଟତର ହେବା ବଡ଼ କଥା ନୁହେଁ। ହଜାର ହଜାର ଉପଗ୍ରହ ମହାକାଶ ପଠାଯାଉଛି। ତେଣୁ ଏଭଳି ପ୍ରକ୍ରିୟାକୁ ସାର୍ବଜନୀନ କରାଯାଏ ନାହିଁ। ନିକଟରେ ଭାରତୀୟ ଉପଗ୍ରହ ସ୍ପେନ୍‌ ଉପଗ୍ରହ ସହ ନିକଟତର ହୋଇଥିବା ବୋଲି କେ. ଶିବନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.