ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା : “ଭାରତ ଉପରେ ଭରସା ଅଛି, ଆମ ନାଗରିକଙ୍କର କିଛି ହେବନି”- ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦।୦୧: ନୂଆଦିଲ୍ଲୀରେ ଶୁକ୍ରବାର ସଂଧ୍ୟା ସମୟରେ ଇସ୍ରାଏଲ ଦୂତାବାସ ନିକଟରେ ବୋମା ବିସ୍ପୋରଣ ଘଟଣା । ବିସ୍ଫୋରଣକୁ ନେଇ ଭାରତ ଓ ଇସ୍ରାଏଲ୍‌ ଲଗାତର ଯୋଗାଯୋଗରେ ରହିଛନ୍ତି । ଏସବୁ ଭିତରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ଜାମିନ ନେତନ୍ୟାହୁଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ଜାମିନ ନେତନ୍ୟାହୁ କହିଛନ୍ତି ଯେ, ଆମକୁ “ପୂର୍ଣ୍ଣ ବିଶ୍ୱାସ” ରହିଛି , ଦୂତାବାସରେ ଥିବା ସମସ୍ତ ଅଧିକାରୀଙ୍କୁ ଭାରତ କଡା ସୁରକ୍ଷା ଦେବ । ଇସ୍ରାଏଲ୍‌ବାସିନ୍ଦା ଓ ୟେହୁଦୀମାନଙ୍କୁ ଭାରତ ସୁରକ୍ଷା ଦେବ ବୋଲି ଆମର ଭରସା ରହିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସଂଧ୍ୟା ସମୟରେ ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିଲା । ବୁଦା ମୂଳରେ ଗୋଟିଏ IED ରଖା ଯାଇଥିବା ସୂଚନା ମିଳିଥିଲା । କିନ୍ତୁ ଘଟଣାସ୍ଥଳରୁ ଆଉ କୌଣସି ବୋମା ମିଳିନାହିଁ । ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନର ଏବଂ IB ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଘଟଣା ପରେ ସାରା ଦେଶର ସବୁ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ଅଯୋଧ୍ୟା ସହ ଉତ୍ତରପ୍ରଦେଶର ସବୁ ଜିଲ୍ଲାରେ ମଧ୍ଯ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି, କିଛି ଗାଡି ନଷ୍ଟ ହୋଇଯାଇଛି ।

ବିସ୍ଫୋରଣ ସ୍ଥଳକୁ କର୍ଡନ କରି ସୁରକ୍ଷା ବ୍ଯବସ୍ଥା ବଢ଼ାଇ ଦିଆଯାଇଛି। ଅତିରିକ୍ତ ସି.ଆର.ପି.ଏଫ ଫୋର୍ସ ମଧ୍ଯ ଘଟଣା ସ୍ଥଳକୁ ଯାଇ ଛାନଭିନ୍ କରୁଛି। ଏପଟେ ଏହି ଘଟଣା ନେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି, ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି କି ଦୂତାବାସ ବିଲଡିଂର କୌଣସି କ୍ଷତି ହୋଇନାହିଁ, ଭାରତୀୟ ଅଧିକାରୀମାନେ ଘଟଣାର ଯାଞ୍ଚ କରୁଛନ୍ତି । ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ . ଜୟଶଙ୍କର କଥାହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.