ଗାଜାରେ ସୈନ୍ୟ ସଂଖ୍ୟା ବଢ଼ାଇଲା ଇସ୍ରାଏଲ୍‌; ୨୦୧୪ ଭଳି ସ୍ଥିତି ଆଶଙ୍କା, ନେତାନ୍ୟାହୁ କହିଲେ- ଜାରି ରହିବ ଆକ୍ରମଣ

Published By : Prameya-News7 Bureau | May 13, 2021 IST

ଜେରୁସାଲେମ ୧୩/୫: ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି। ବିଶ୍ବ ସମୁଦାୟର ଅପିଲ୍‌ ପରେ ମଧ୍ୟ ହିଂସାତ୍ମକ ପରିସ୍ଥିତି ଜାରି ରହିଛି। ଗୁରୁବାର ଇସ୍ରାଏଲ ଗାଜା ବର୍ଡରରେ ନିଜ ସୈନିକ ସଂଖ୍ୟା ବୃଦ୍ଧି କରିଛି। ଅନ୍ୟପଟେ ହମାସ ପକ୍ଷରୁ ଲଗାତାର ଇସ୍ରାଏଲକୁ ରକେଟ୍‌ ମାଡ଼ ଜାରି ରହିଛି। ୨୦୧୪ ପରେ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇରେ ୮୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଶହ ଶହ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଲେଷ୍ଟାଇନ୍‌ ଏନକ୍ଲେଭ୍‌ରୁ ଛଡ଼ାଯାଇଥିବା ରକେଟ୍‌ ଯୋଗୁ ୫ ଇସ୍ରାଏଲୀ ଆହତ ହୋଇଛନ୍ତି। ବିଲ୍ଡିଂକୁ ଲକ୍ଷ କରି ଏହି ରକେଟ୍‌ ଛଡ଼ାଯାଇଥିଲା। ରେକେଟ ହମଲା ହେବା ପରେ ଦକ୍ଷିଣ ଇସ୍ରାଏଲରେ ଆଲାରାମ ବାଜିଥିଲା। ଏହା ପରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।

ଏହା ବ୍ୟତୀତ ଇସ୍ରାଏଲ୍‌ ​ ଜୋରଦାର ଏୟାରଷ୍ଟ୍ରାଇକ୍‌  କରି ଗାଜା ସହରର ଏକ ୬ ମହଲା କୋଠାକୁ ମାଟିରେ ମିଶାଇ ଦେଇଛି। ଇସ୍ରାଏଲ୍‌ରେ ଆଭ୍ୟନ୍ତରୀଣ ଅଶାନ୍ତି ଲାଗିରହିଛି। ଅନେକ ସ୍ଥାନରେ ଇହୁଦି ଏବଂ ଆରବଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଖବର ମିଳିଛି । ସୋମବାରଠୁ ଆରମ୍ଭ ହୋଇଥିବା ଏହି ହିଂସାରେ ଗାଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍ରାଏଲ ପକ୍ଷରୁ ସୀମାରେ ସେନା ସଂଖ୍ୟା ବୃଦ୍ଧି କରାଯାଇଛି। ଏଥିରୁ ଆଶଙ୍କା କରାଯାଉଛି ପରିସ୍ଥିତି ୨୦୦୮-୯ କିମ୍ବା ୨୦୧୪ ଭଳି ଭୟଙ୍କର ହୋଇପାରେ। ସେନା ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ କହିଥିବା ବେଳେ ଲେଫ୍ଟନାଣ୍ଟ କର୍ଣେ୍ଣଲ୍‌ ଜୋନାଥନ କହିଛନ୍ତି, ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୈନିକଙ୍କୁ ସୂଚନା ଦିଆଯାଉଛି।

ସେପଟେ ଗାଜା ପ୍ରାଶାସନ ଆକ୍ରମଣରେ କେତେ ଲୋକ ପ୍ରାଣ ହରାଇଛନ୍ତି ​‌ସେନେଇ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏହା ସହ ବିଷାକ୍ତ ଗ୍ୟାସ୍‌ରେ ଲୋକଙ୍କ ଜୀବନ ଯାଉଥିବା ମଧ୍ୟ ଆଶଙ୍କା କରାଯାଉଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଆ​‌ମେ ଆଶା କରୁଛୁ ହମାସ ଏବଂ ଇସ୍ରାଏଲ୍‌ ମଧ୍ୟରେ ଶୀଘ୍ର ସଂଘର୍ଷ ସମାପ୍ତ ହେବ। ଏହା ସହ ନିଜକୁ ରକ୍ଷା ଇସ୍ରାଏଲ କରିପାରିବ ବୋଲି ସେ କହିଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ହମାସର ସୈନ୍ୟ ଠିକଣା ଉପରେ ଲଗାତାର ଆକ୍ରମଣ ଜାରି ରଖିବେ। ଆମେରିକା ଏବଂ ଇସ୍ରାଏଲ୍‌ ପକ୍ଷରୁ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.