Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିଆରି ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମାସ୍କ, ମୂଲ୍ୟ ୧୧ କୋଟି ଟଙ୍କା : ସୁନା ଓ ହୀରାରେ ତିଆରି ମାସ୍କରେ ରହିଛି N99 ଫିଲ୍ଟର

10/08/2020 at 1:18 PM

ମୋତଜା ୧୦/୦୮ : ସାରା ଦୁନିଆ ବର୍ତ୍ତମାନ କରୋନା ଭ୍ୟାକସିନ ବାହାର ଖୋଜିବାରେ ବ୍ୟସ୍ତ | ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲଗାତାର ସାର୍ବଜନିକ ସ୍ଥଳରେ ମାସ୍କ ବ୍ୟବହାର କରିବାକୁ ଅପିଲ କରୁଛି | ଇସ୍ରାଇଲରେ ଦୁନିଆର ସବୁଠାରୁ ମହଙ୍ଗା ଫେସ ମାସ୍କ ତିଆରି ହେଉଥିବା ସୂଚନା ମିଳିଛି | ଏହି ମାସ୍କର ମୂଲ୍ୟ ୧.୫ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୧ କୋଟି ଟଙ୍କା | ସୁନା ଓ ହୀରାରେ ତିଆରି ଏହି ମାସ୍କରେ N99 ଫିଲ୍ଟର ଲାଗିଛି |

ଇସ୍ରାଇଲରେ ଗହଣା ତିଆରି କରୁଥିବା ଏକ କମ୍ପାନୀ ଦାବି କରିଛି ଯେ ସେ କରୋନା ଭାଇରସରୁ ବଞ୍ଚିବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ମାସ୍କ ତିଆରି କରୁଛି ଯାହାର ମୂଲ୍ୟ ୧୫ ଲକ୍ଷ ଡଲାର ହେବ | ସୁନାରେ ତିଆରି ଏହି ମାସ୍କରେ ହୀରା ମଧ୍ୟ ଲାଗିଛି | ମାସ୍କକୁ ଡିଜାଇନ କରୁଥିବା ଡିଜାଇନର ଇସାକ ଲେବି କହିଛନ୍ତି ଯେ ୧୮ କ୍ୟାରେଟ ସୁନାରେ ତିଆରି ଏହି ମାସ୍କରେ ୩ ହାଜର ୬୦୦ କଳା ଓ ଧଳା ହୀରା ଏବଂ N99 ଫିଲ୍ଟର ଲଗାଯିବ |

ଜଣେ କ୍ରେତାଙ୍କ ଚାହିଦା ଅନୁଯାୟୀ ଏହି ମାସ୍କ ତିଆରି କରାଯାଉଛି | ୟବେଲ କମ୍ପାନୀ ମାଲିକ ଲେବି କହିଛନ୍ତି ଯେ, କ୍ରେତାଙ୍କର ଆଉ ଦୁଇଟି ଦାବି ଥିଲା ଯେ ମାସ୍କ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯାଉ ଏବଂ ଏହା ବିଶ୍ୱର ସବୁଠାରୁ ମହଙ୍ଗା ମାସ୍କ ହେଉ | ନିଜ ଗ୍ରାହକଙ୍କ ପରିଚୟ ଉଜାଗର କରିବାକୁ ଲେବି ଅସ୍ବୀକାର କରିଥିଲେ | କିନ୍ତୁ ସେ ଏତିକି କହିଛନ୍ତି ଯେ ସେ ଆମେରିକାରେ ରହୁଥିବା ଜଣେ ଚାଇନା ଉଦ୍ୟୋଗପତି | ଲେବି କହିଛନ୍ତି, ‘ମୁଁ ବହୁତ ଖୁସି ଯେ ମାସ୍କ ଜରିଆରେ ଅତ୍ୟନ୍ତ ସଙ୍କଟ ସମୟରେ ମୋ କର୍ମଚାରୀଙ୍କୁ କାମ ମିଳିଛି |’

ଏକ ସମାଚାର ଏଜେନ୍ସି ଏହି ମାସ୍କର କିଛି ଫଟୋ ମଧ୍ୟ ଜାରି କରିଛି | ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ମାସ୍କ ସୁନାରେ ତିଆରି ହୋଇଛି ଏବଂ ଏଥିରେ ହୀରା ମଧ୍ୟ ଲାଗିଛି | ମାସ୍କର ଓଜନ ୨୭୦ ଗ୍ରାମ ଯାହା ଏକ ସାଧାରଣ ମାସ୍କ ତୁଳନାରେ ୧୦୦ ଗୁଣରୁ ଅଧିକ | ତେବେ ଏହାକୁ ପିନ୍ଧିବା ବହୁତ ସୁବିଧାଜନକ ବୋଲି ଡିଜାଇନର କହିଛନ୍ତି | ମାସ୍କଟି ଆକର୍ଷଣୀୟ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି |

   Related Posts