ଗାଜା ଆକ୍ରମଣ: ଇସ୍ରାଏଲକୁ OICଙ୍କ ସମାଲୋଚନା, କହିଲେ ପାଲେଷ୍ଟାଇନକୁ ଦେଉ କ୍ଷତିପୂରଣ

Published By : Prameya-News7 Bureau | May 16, 2021 IST

ଜେଦାହ ୧୬।୫: ଇସ୍ଲାମିକ ଦେଶଙ୍କ ସଙ୍ଗଠନ ଅର୍ଗାନାଇଜେସନ ଅଫ ଇସ୍ଲାମିକ୍ କୋ-ଅପରେସନ (ଓଆଇସି)ଙ୍କ ରବିବାର ଅନୁଷ୍ଠିତ ଜରୁରି ବୈଠକରେ ପାଲେଷ୍ଟାଇନ ଆକ୍ରମଣ ଲାଗି ଇସ୍ରାଏଲକୁ ସମାଲୋଚନା କରାଯାଇଛି। ଏଥିରେ ଇସ୍ରାଏଲର କାଣ୍ଡକୁ ଧାର୍ମିକ ସମ୍ବେଦନଶୀଳତା ସୃଷ୍ଟି ଲାଗି  ଉଦ୍ଦେଶ୍ୟମୂଳକ ପ୍ରୟାସ ବୋଲି କୁହା ଯାଇଥିବା ବେଳେ ଏଥିଲାଗି ଚେତାବନୀ ମଧ୍ୟ ଦିଆଯାଇଛି। ପାଲେଷ୍ଟେନିୟ ଓ ଇସ୍ଲାମ ଜଗତର ଭାବନାକୁ ପ୍ରଭାବିତ କରିଥିବାରୁ ଇସ୍ରାଏଲକୁ  ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ସତର୍କ କରାଯାଇଛି।

ଭର୍ଚୁଆଲ ବୈଠକ ନେଇ ଓଆଇସି ଏକ ବୟାନ ଜାରି କରିଥିବା ବେଳେ ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନ ଅଞ୍ଚଳ ଜବରଦଖଲ ସହ ସେଠାରେ ଚଳାଇଥିବା ପକ୍ଷପାତକୁ ଓଆଇସି ଦୃଢ ବିରୋଧ କରୁଥିବା କହିଛି। ଏଣୁ ଇସ୍ରାଏଲ ବିପକ୍ଷରେ ତୁରନ୍ତ ଆନ୍ତର୍ଜାତୀୟ ଆଇନରେ କାର୍ଯ୍ୟାନୁଷ୍ଠାନ ଲାଗି ଓଆଇସି ଅନ୍ତର୍ଗତ ଦେଶମାନେ ଦାବି କରିଛନ୍ତି। ଏଥିରେ ଅଲ କୁଦସ୍ (ଜେରୁଜେଲମ) ଏବଂ ଅଲ ଅକ୍ସା ଇସ୍ଲାମର ସବୁଠୁ ପବିତ୍ର ସ୍ଥଳ ବୋଲି କୁହାଯାଇଛି। ତେବେ ଇସ୍ଲାମ ଜଗତ ଲାଗି ଏହି ଅଞ୍ଚଳ ଏବେବି ଏକ ଲାଲ ରେଖା ହୋଇ ରହିଥିବା ତଥା ସେଠାରେ କୌଣସି ସୁରକ୍ଷା ଓ ସ୍ଥିର ବ୍ୟବସ୍ଥା ନଥିବା ଯୋଗୁ ଇସ୍ରାଏଲ ନିଜର ପ୍ରଭାବ ବିସ୍ତାର କରିବା ଲାଗି ଆକ୍ରମଣ କରୁଥିବା କୁହାଯାଇଛି। ତେବେ ଏହା ବରଦାସ୍ତ କରାଯିବନି ବୋଲି ମଧ୍ୟ ସତର୍କ କରାଯାଇଛି।

ତେବେ ସେଠାରେ ତୁରନ୍ତ ହିଂସା ରୋକିବା ସହ ଏଥିଯୋଗୁ ସାଧାରଣ ଲୋକ ଓ ସମ୍ପତ୍ତିର ହୋଇଥିବା କ୍ଷତି ଅନ୍ତର୍ଜାତୀୟ ଆଇନ ଅନୁସାରେ ଇସ୍ରାଏଲ ଭରଣା କରୁ ବୋଲି ଦାବି କରାଯାଇଛି। ସେହିପରି ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବକୁ ୟୁରୋପୀୟ କମିଶନ, ଜାତିସଂଘ ଜେନେରାଲ ସେକ୍ରେଟାରୀ, ମାନବାଧିକାର ଲାଗି ଜାତିସଂଘ ଉଚ୍ଚାୟୁକ୍ତ ଓ ଅନ୍ୟ ଅନ୍ତର୍ଜାତୀୟ ସଙ୍ଗଠନଙ୍କୁ ସୂଚିତ କରାଯିବ ବୋଲି ବୟାନରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.