ମଦ ବୋତଲରେ ମହାତ୍ମା ଗାନ୍ଧିଙ୍କ ଫଟୋ ପ୍ରକରଣ, କ୍ଷମା ମାଗିଲା ଇସ୍ରାଏଲୀ ମଦ କମ୍ପାନୀ
3/07/2019 at 8:42 PM

ନୂଆଦିଲ୍ଲୀ: ମଦ ବୋତଲରେ ମହାତ୍ମା ଗାନ୍ଧିଙ୍କ ଫଟୋ ଛାପି କାରବାର କରୁଥିବା ଇସ୍ରାଏଲୀ କମ୍ପାନୀ ଏଥିପାଇଁ ଭାରତ ସରକାର ଓ ନାଗରିକଙ୍କ ନିକଟରେ ନିସର୍ତ୍ତ କ୍ଷମା ଯାଚନା କରିଛି। ତେବେ କମ୍ପାନୀ ଜାଣତରେ ଏଭଳି କରିନଥିବା କହିଛି। ଯଧି ଏଥିପାଇଁ ଭାରତୀୟଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥାଏ ସେଥିପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଇସ୍ରାଏଲର ମାକା ବ୍ରେବରୀ କମ୍ପାନୀ କହିଛନ୍ତି।

ଇସ୍ରାଏଲରେ ମଦ କମ୍ପାନୀ ମଦ ବୋତଲରେ ମହାତ୍ମା ଗାନ୍ଧିଙ୍କ ଫଟୋ ଛାପି ବିକୁଥିବା ନେଇ ରାଜ୍ୟସଭାରେ ସାଂସଦମାନେ ଚିନ୍ତାବ୍ୟକ୍ତ କରିଥିଲେ। ଉଚ୍ଚ ସଦନ ଅଧ୍ୟକ୍ଷ ଏମ୍. ଭେଙ୍କୟାନାୟଡୁ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ତୁରନ୍ତ ମାମଲାର ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବୈଦେଶିକ ମନ୍ତ୍ରୀ ଇସ୍ରାଏଲସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସୂଚିତ କରିଥିଲେ। ସେହି ଅନୁସାରେ ରାଷ୍ଟ୍ରଦୂତ ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି।

ମାକା ବ୍ରେବରୀ କମ୍ପାନୀର ବ୍ରାଣ୍ଡ ମ୍ୟାନେଜର ଗିଲାଡ ଡ୍ରୋର ଏ ନେଇ ଏକ ପତ୍ରରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥି ପାଇଁ ଡ୍ରୋର ଭାରତ ସରକାର ଓ ଭାରତୀୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ମହାତ୍ମା ଗାନ୍ଧିଙ୍କ ପାଇଁ ସଂସ୍ଥା ଓ କର୍ମଚାରୀଙ୍କ ଗଭୀର ଶ୍ରଦ୍ଧା ରହିଛି। ତେବେ ବୋତଲରେ ତାଙ୍କ ଫଟୋ ଲଗାଇବା ଯୋଗୁ ଦୁଃଖ ବ୍ୟକ୍ତ କରୁଛୁ। ଏ ନେଇ ଦୂତାବାସ ଅଭିଯୋଗ କରିବା ପରେ ଏଭଳି ବୋତଲର ଉପଯୋଗ ବନ୍ଦ କରିଦିଆଯାଇଥିବା ବେଳେ ବଜାରକୁ ଚାଲି ଯାଇଥିବା ବୋତଲସବୁ ଫେରସ୍ତ ଅଣାଇବାକୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି।