ଇସ୍ରାଏଲ ବିରୋଧୀ ଆତଙ୍କୀଙ୍କୁ ନିପାତ କରିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ନେତନ୍ୟାହୁ ଦେଲେ ଚେତାବନୀ

Published By : Prameya-News7 Bureau | May 16, 2021 IST

ଇସ୍ରାଏଲ, ୧୬।୦୫:   ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ଜାରି ରହିବ । ଏନେଇ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ।ରବିବାର ସକାଳେ ମଧ୍ୟ ଇସ୍ରାଏଳ ତରଫରୁ ଗାଜାରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ୩ ଜଣ ପାଲେଷ୍ଟିଆନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ।

ନେତନ୍ୟାହୁ କହିଛନ୍ତି ଯେ, ଯେଉଁଯାଏଁ ଆବଶ୍ୟକତା ରହିଛି, ସେବେ ଯାଏଁ ରକେଟ୍ ଆକ୍ରମଣ ଜାରି ରହିବ । ଇସ୍ରାଏଲ ବିରୋଧୀ ଆତଙ୍କବାଦୀଙ୍କୁ ନିପାତ ନକଲା ଯାଏଁ ଯୁଦ୍ଧର ସମାପ୍ତ ନାହିଁ । କିପରି ସାଧାରଣ ଲୋକେ ଏଥିରେ ପ୍ରାଣ ନହରାଇବେ ସେଦିଗରେ ଧ୍ୟାନ ଦିଆଯାଉଛି । ଯେଉଁମାନଙ୍କ ଉପରେ ଆକ୍ରମଣ ହେଉଛି ସେମାନେ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଶନିବାର ଗାଜା ଉପରେ ଆକ୍ରଣ କରିଥିଲା।  ଆଇଡିଏଫ ଯୁଦ୍ଧବିମାନ ଏକ ୧୨ ମହଲା ଭବନ ଗାଜା ଟାୱାର ଉପରେ ବୋମାମାଡ଼ କରିବା ଯୋଗୁ ସମଗ୍ର ଭବନଟି ଧରାଶାୟୀ ହୋଇଥିଲା। ଏହି ବିଲ୍ଡିଂରେ ଆମେରିକୀୟ ସମ୍ବାଦ ସରବରାହ ସଂସ୍ଥା ଏପିର କାର୍ଯ୍ୟାଳୟ ସମେତ କାତାର ଗଣମାଧ୍ୟମ ସଂସ୍ଥା  ଅଲ ଜଜିରା ଓ ଅନ୍ୟ ଗଣମାଧ୍ୟମମାନଙ୍କର କାର୍ଯ୍ୟାଳୟ ଥିଲା।

ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ସଂଘର୍ଷରେ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩୧ ଜଣ ଶିଶୁ ଓ ବାଳକ ଥିବା ବେଳେ ଉଭୟ ପକ୍ଷର ୯୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ଇସ୍ରାଏଲୀ ହୋଇଥିବା ବେଳେ ଅନ୍ୟ ସମସ୍ତ ପାଲେଷ୍ଟେନୀୟ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.