ଲଜ୍ଜା : ଆଇସୋଲେସନ ୱାର୍ଡରେ ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର, ଶେଷ ନିଶ୍ୱାସ ଯାଏଁ ଦୋହରାଇଲେ ପୀଡା

Published By : Prameya-News7 Bureau | April 13, 2020 IST

ଗୟା ୧୩/୦୪ : ମଗଧ ମେଡିକାଲରେ ଦୁଷ୍କର୍ମ ପୀଡିତା ମହିଳା ନିଜ ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ କଥା ଦୋହରାଇଥିଲେ | ମହିଳାଙ୍କ ଶାଶୁ କହିଛନ୍ତି ଯେ ସେ ନିଜ ବୋହୁକୁ ଖାଇବା ଓ ଶୋଇବା ପାଇଁ କହିଲେ ପାଟି କରୁଥିଲେ | ସେ କାନ୍ଦି କାନ୍ଦି କହୁଥିଲେ, "ମା, ମୁଁ ଏକାକୀ ଥିଲାବେଳେ ସେ ମୋ ସହିତ ବହୁତ ଖରାପ କାମ କରିଛି" | ଏହାପରେ ସେ ବେହୋସ ହୋଇ ଯାଉଥିଲେ | ମହିଳା ଜଣକ ଶେଷ ନିଶ୍ୱାସ ଯାଏଁ ଏହିକଥା ଦୋହରାଉଥିଲେ | ନା ସେ ଶାନ୍ତିରେ ଶୋଇ ପାରୁଥିଲେ ନା ଖାଉଥିଲେ | ମହିଳାଙ୍କ ପରିବାର ୩ଦିନ ପର୍ଯ୍ୟନ୍ତ ଶୋଇନଥିଲା | ମହିଳାଙ୍କ କଥା ମନେପକାଇ ତାଙ୍କ ଘରଲୋକ ଏବେ ମଧ୍ୟ ଶିହରି ଉଠୁଛନ୍ତି |

ମଗଧ ମେଡିକାଲର ଆଇସୋଲେସନ ୱାର୍ଡରେ ଦୁଷ୍କର୍ମ ପୀଡିତା ମହିଳା ମାର୍ଚ୍ଚ ୨୬ ତାରିଖରେ ୪୦ ହଜାର ଟଙ୍କାରେ ଆମ୍ବୁଲାନ୍ସ ବୁକ କରି ନିଜ ପରିବାର ସହ ଲୁଧିଆନାରୁ ରୋଶନଗଞ୍ଜ ଥାନା ଅନ୍ତର୍ଗତ ନିଜ ଗାଁକୁ ଯାଇଥିଲେ | ସେ ୨ ମାସର ଗର୍ଭବତୀ ଥିଲେ | କିନ୍ତୁ ଗର୍ଭପାତ ହୋଇଥିବା ଯୋଗୁଁ ତାଙ୍କ ସ୍ୱାସ୍ଥାବସ୍ଥା ଭଲ ନଥିଲା | ମାର୍ଚ୍ଚ ୨୭ ତାରିଖରେ ପରିବାର ଲୋକେ ତାଙ୍କୁ ଗୟା ସ୍ଥିତ ମଗଧ ହସ୍ପିଟାଲର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ | ସେ ଲୁଧିଆନାରୁ ଆସିଥିବା ଜାଣି ଡାକ୍ତର ତାଙ୍କୁ ଆଇସୋଲେସନ ୱାର୍ଡରେ ରଖିଥିଲେ | ସେଠାରେ ଜଣେ ହସ୍ପିଟାଲ କର୍ମଚାରୀ କିଛି ଦିନ ଲଗାତାର ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲା | ଦିନେ ପୀଡିତାଙ୍କ ଶାଶୁ ଆଇସୋଲେସନ ୱାର୍ଡରେ ପହଞ୍ଚିଥିଲେ | ମହିଳା ନିଜ ଶାଶୁଙ୍କ ସବୁ କଥା କହିଥିଲେ | ମହିଳାଙ୍କ ଶାଶୁ ସେଠାରେ ଉପସ୍ଥିତ ଗାର୍ଡକୁ ସବୁ କଥା କହିଥିଲେ | କିନ୍ତୁ ହସ୍ପିଟାଲରେ ନିୟୋଜିତ ଗାର୍ଡ ନିଜ ଇଜ୍ଜତ ରକ୍ଷା ପାଇଁ କିଛି ନ କହି ଚୁପ ରହିବା ପାଇଁ କହିଥିଲେ | ହସ୍ପିଟାଲ ପ୍ରଶାସନ ମହିଳାଙ୍କୁ ଏପ୍ରିଲ ୩ ତାରିଖରେ ଡିସ୍‌ଚାର୍ଜ କରିଥିଲେ | ହସ୍ପିଟାଲରୁ ଘରକୁ ଆସିବା ପରେ ମଧ୍ୟ ମହିଳା ବହୁତ ବ୍ୟସ୍ତ ଥିଲେ ।

ଏପ୍ରିଲ ୬ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଗଲା | ଏହାପରେ ମହିଳାଙ୍କ ଶାଶୁ ଗଣମାଧ୍ୟମକୁ ସମସ୍ତ ଘଟଣା କହିଥିଲେ | ଖବରକାଗଜରେ ଖବର ପ୍ରସାରିତ ହେବାପରେ ପ୍ରଶାସନ ପଦକ୍ଷେପ ନେଇଥିଲା ଓ ଏପ୍ରିଲ ୮ ତାରିଖରେ ହସ୍ପିଟାଲ କର୍ମଚାରୀ ବିରୋଧରେ ମହିଳାଙ୍କ ଶାଶୁଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରିଥିଲା | ୧୧ ତାରିଖରେ ମହିଳାଙ୍କ ଶାଶୁଙ୍କୁ ନେଇ ପୋଲିସ ହସ୍ପିଟାଲ ଯାଇଥିଲା ଓ ୱାର୍ଡ ବୟକୁ ଚିହ୍ନଟ କରି ଗିରଫ କରିଥିଲା | ଏହି ମାମଲାରେ ନିଜର ସମସ୍ତ କର୍ମଚାରୀଙ୍କୁ କ୍ଲିନଚିଟ ଦେବା ପାଇଁ ମଗଧ ମେଡିକାଲ ପ୍ରଶାସନ ଏକ କମିଟି ଗଠନ କରି ରିପୋର୍ଟ ପ୍ରସ୍ତୁତ କରିଥିଲା | କମିଟିରେ ସାମିଲ ଅନେକ ସଦସ୍ୟଙ୍କ ଦସ୍ତଖତ ପରେ ସେ ସମସ୍ତ ଘଟଣା ସମ୍ପର୍କରେ ଜାଣିନଥିବା ଦର୍ଶାଇଥିଲେ | ତେବେ ସୂତ୍ର ଅନୁଯାୟୀ, ହସ୍ପିଟାଲ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ଏହିଭଳି ରିପୋର୍ଟ ପ୍ରସ୍ତୁତ କରିଛି ବୋଲି କୁହାଯାଉଛି | ଗିରଫ ୱାର୍ଡ ବୟ ସମ୍ପର୍କରେ ହସ୍ପିଟାଲ ଅଧିକାରୀ କହିଛନ୍ତି ସେ ଆଉଟ ସୋର୍ସିଙ୍ଗ ଏଜେନ୍ସି ଦ୍ୱାରା ନିୟୋଜିତ ହୋଇଥିଲା | ତାଠାରୁ ଅଧିକ ତାଙ୍କ ପାଖରେ ସୂଚନା ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.