କବୀର ଉତ୍ପାଦକ ଗୋଷ୍ଠୀର ଆୟୁର୍ବେଦିକ ଔଷଧକୁ ମିଳିଛି ଆଇଏସଓ ମାନ୍ୟତା, ମୁଖ୍ୟମନ୍ତ୍ରୀ କରିଛନ୍ତି ପ୍ରଶଂସା

Published By : Prameya-News7 Bureau | November 08, 2021 IST

ସାଲେପୁର ୮।୧୧: ମହିଳା ସଶକ୍ତିକରଣ । ସଫଳତାକୁ ସାର୍ଟିଫିକେଟ୍ । କଟକ ସାଲେପୁରର ମହିଳା ସ୍ବୟଂ ସହାୟିକାଙ୍କ କବୀର ଉତ୍ପାଦକ ଗୋଷ୍ଠୀ, କେବଳ ସଫଳ ହୋଇନି ସାଉଁଟିଛି ପ୍ରଶଂସା । ଚାଷ, ପଶୁପାଳନ, କୁକୁଡ଼ା ଫାର୍ମ ଏବଂ ସିଲାଇ । ଏବେ ଆୟୁର୍ବେଦିକ ଔଷଧ ଉତ୍ପାଦନରେ କରୁଛନ୍ତି ଏହି ମହିଳା ଏସଏଚଜି । ଆଗକୁ ଏକ କ୍ଷୁଦ୍ର ପ୍ୟାକେଜିଂ ୟୁନିଟ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ । ତେବେ ଏହି ଗୋଷ୍ଠୀକୁ ଆଇଏସଓ ମାନ୍ୟତା ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଆହୁରି ପ୍ରସିଦ୍ଧି ଦେଇଛି ।

୨୦୧୮ ମସିହାରେ ORMAS ଦ୍ବାରା ୬ ଜଣ ମହିଳା ସ୍ବୟଂ ସହାୟିକାଙ୍କୁ ନେଇ ଗଠିତ ହୋଇଥିଲା କବୀର ଉତ୍ପାଦକ ଗୋଷ୍ଠୀ । ପ୍ରଥମେ ସଦସ୍ୟାମାନେ ଚାଷ, ପଶୁପାଳନ, କୁକୁଡ଼ା ଫାର୍ମ ଏବଂ ସିଲାଇକୁ ଆଦରି ଥିଲେ । ପରେ ହର୍ବାଲ ଔଷଧ ତିଆରି କରିବା ଆରମ୍ଭ କରିଥିଲେ । ଏବେ ୯ଟି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଏହି ଏସଏଚଜି । ଏମାନଙ୍କ ଦ୍ବାରା ପ୍ରସ୍ତୁତ କୋଚିଲାଖାଇ, ଗାଲ୍ଟେରିଆ ଓ ଏରସ ତେଲର ବେଶ୍ ଚାହିଦା ରହିଛି । ବଡ କଥାଟି ହେଲା ଏହି ଗୋଷ୍ଠୀ ଅନଲାଇନ ସପିଂ ପ୍ଲାଟଫର୍ମରେ ନିଜ ଉତ୍ପାଦ ବିକ୍ରି କରୁଛନ୍ତି । ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଏହି ଏସଏଚଜି ରାଜ୍ୟର ପ୍ରଥମ ମହିଳା ଉତ୍ପାଦକ ଗୋଷ୍ଠୀ ଭାବେ ଆଇଏସଓ ମାନ୍ୟତା ପାଇଛି । ଉତ୍ପାଦର ଗୁଣବତ୍ତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଗୋଷ୍ଠୀକୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କରିଛନ୍ତି ପ୍ରଶଂସା । ବିଧାୟକ ଦେଇଛନ୍ତି ସହଯୋଗର ପ୍ରତିଶ୍ରୁତି ।

ରାଜ୍ୟରେ ପ୍ରାୟ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ସକ୍ରିୟ ଥିବାବେଳେ କବୀର ଉତ୍ପାଦକ ଗୋଷ୍ଠୀ ଆଗରେ । ନିଷ୍ଠା ଓ ପରିଶ୍ରମ ଯୋଗୁଁ ସଫଳତା ସହ ସେମାନେ ଏବେ ଉଦାହରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.