ଇରାକରୁ କେରଳ ଫେରିଥିଲା ଇସଲାମିକ ଷ୍ଟେଟର ଆତଙ୍କବାଦୀ, ଏନଆଇଏ କୋର୍ଟ ଦେଲା ଆଜୀବନ କାରାଦଣ୍ଡ

Published By : Prameya-News7 Bureau | September 28, 2020 IST

କୋଚି ୨୮।୦୯: କୋଚି ସ୍ଥିତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋର୍ଟ ସୋମବାର ସୁବାହାନୀ ହାଜା ମୋଇଦ୍ଦୀନ(୩୪)ଙ୍କୁ ଆଜୀବନ କାରାଦଣ୍ଡ ସହ ୨ ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ହାଜା ଇସଲାମିକ ଷ୍ଟେଟର ଆତଙ୍କବାଦୀ ଥିଲା। ସେ ଇରାକ ଆତଙ୍କବାଦୀ ସଂଗଠନ ତରଫରୁ  ଲଢିବା ପରେ କେରଳ ଫେରିଥିଲା।

କୋର୍ଟ ହାଜାକୁ ଆଇପିସିର ଧାରା ୧୨୫ ଆଧାରରେ ମିତ୍ର ଦେଶ ବିରୋଧରେ ଆତଙ୍କୀ ଆକ୍ରମଣ କରିବା, ଅପରାଧିକ ଷଡଯନ୍ତ୍ର ରଚିବା ଓ ବେଆଇନ ଗତିବିଧି ରୋକଥାମ ଆଇନ(ୟୁଏପିଏ) ଆଧାରରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଥିଲେ। ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରଥମ ଥର କୌଣସି ବ୍ୟକ୍ତିଙ୍କୁ ୧୨୫ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ତଦନ୍ତ ବେଳେ ଏନଆଇଏ ଜାଣିବାକୁ ପାଇଛି ଯେ, ଇଡୁକ୍କିର ଥୋଡୁପୁଝାର ବାସିନ୍ଦା ମୋଇଦ୍ଦୀନ ୨୦୧୫ରେ ସାଉଦି ଆରବ ଯାଇଥିଲା ଏବଂ ସେଠାରୁ ତୁର୍କୀ ଚାଲି ଯାଇଥିଲା। ସେଠାରେ ତାର  ହ୍ୟାଣ୍ଡଲର ତାକୁ ସିରିୟା ସୀମାକୁ ନେଇ ଯାଇଥିଲେ ଏବଂ ପରେ ସେ ରୁକ୍କା ଚାଲି ଯାଇଥିଲା। ସେଠାରେ ତାକୁ ଅସ୍ତ୍ର ଶସ୍ତ୍ର ଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ଏବଂ ଇରାକର ମୋସୁଲରେ ଫ୍ରେଞ୍ଚ ଭାଷା କହୁଥିବା ଏକ ଆତଙ୍କୀ ଦଳରେ ହାଜାକୁ ନିୟୋଜିତ କରାଯାଇଥିଲା।

ଗୋଟିଏ ଆକ୍ରମଣ ସମୟରେ ସେ ଦେଖିଲା ଯେ, ତାର ଜଣେ ସାଥୀକୁ ଜୀବନ୍ତ ଜାଳି ଦିଆଗଲା। ଏହା ପରେ ସେଠାରୁ ସେ ଖସି ପଳାଇଥିଲା। ହେଲେ ଇସଲାମିକ ଷ୍ଟେଟର ଅନ୍ୟ ଆତଙ୍କବାଦୀଙ୍କ ହାତରେ ଧରା ପଡି ଯାଇଥିଲା। ହାଜା ତଦନ୍ତକାରୀ ଦଳକୁ କହିଛି ଯେ, ଇସଲାମିକ  ଷ୍ଟେଟ୍‌ର ଆତଙ୍କବାଦୀ ତାକୁ ଭରସା ଦେଇଥିଲେ ଯେ ପ୍ରଶିକ୍ଷଣ ପରେ ଛାଡି ଦିଆଯିବ ଏବଂ ସେ ଭାରତରେ ଆତଙ୍କବାଦୀ ଗତିବିଧି ଚଳାଇବ।

ଅଭିଯୋଜନ ପକ୍ଷରୁ କୁହାଯାଇଛି ଯେବେ ମୋଇଦ୍ଦୀନ ହାଜାକୁ ଗିରଫ କରାଗଲା ସେହି ସମୟରେ ସେ କିଛି ଜଜ ଓ ବଡ ରାଜନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.