ମୁମ୍ବାଇରେ ପୁଣି ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିଛି ଇସକନ୍‌

Published By : Prameya-News7 Bureau | January 30, 2020 IST

ମୁମ୍ବାଇ ୩୦।୦୧-  ମୁମ୍ବାଇରେ ପୁଣି ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିଛି ଇସକନ୍‌ । ଜାନୁଆରୀ ୩୦ ତାରିଖରେ ଦାଦର ଶିବାଜୀ ପାର୍କ ଗ୍ରାଉଣ୍ଡରେ ଏହି ରଥଯାତ୍ରାର ଆ​‌ୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଥି​‌ଲେ । କିଛିଦିନ ତଳେ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ନେଇ ନ୍ୟୁଜ୍‌ 7ରେ ଖବର ପ୍ରଶାରଣ ପରେ ସାରା ରାଜ୍ୟରେ ଏହାକୁ ନେଇ ପ୍ରତିବାଦର ସ୍ବର ତେଜ୍‌ ହୋଇଥିଲା । ଆଉ ଏହାକୁ ଦେଖି ଅଦିନିଆ ରଥଯାତ୍ରା ଆୟୋଜନରୁ ବିରତ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ ଇସକନ୍‌ କର୍ତ୍ତୃପକ୍ଷ । ତା’ ପରେ ମଧ୍ୟ ଆଜି ମୁମ୍ବାଇରେ କରାଯାଇଥିବା ରଥଯାତ୍ରାକୁ ନେଇ ପୁଣି ଇସକନ୍‌ର ମନମାନୀ ଉପରେ ଉଠିଛି ପ୍ରଶ୍ନ ।…..

ପୁଣି ସାମ୍ନାକୁ ଆସିଲା ଇସ୍କନ୍‌ର ମନମାନୀ । ପୁଣି ଅଦିନରେ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ମୁମ୍ବାଇରେ ଆଜି ଅଦିନିଆ ରଥଯାତ୍ରା କରିଛି ଇସ୍କନ । ଦାଦର ଶିବାଜୀ ପାର୍କ ଠାରେ ଆୟୋଜିତ ଏହି ରଥଯାତ୍ରାରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିବା କୁହାଯାଉଛି ।ଶିବାଜୀ ପାର୍କ ଗ୍ରାଉଣ୍ଡରେ ପୁରୀ ଶ୍ରୀମନ୍ଦିରର ଢ଼ାଞ୍ଚାରେ ଏକ ପ୍ରତିକୃତି ସ୍ଥାପନା କରାଯାଇଛି । ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପ୍ରତିମା ମୂର୍ତ୍ତିକୁ ମୁମ୍ବାଇ ରଥଯାତ୍ରା ପାଇଁ ଅଣାଯାଇଥିବା କହିଛନ୍ତି ଇସକନ୍‌ର ଆଧ୍ୟାତ୍ମିକ ମୁଖ୍ୟ ରାଧାନାଥ ସ୍ବାମୀ ମହାରାଜ । ଆଜି ଦିନ ୧୨ଟା ବେଳେ ପ୍ରସାଦ ବଣ୍ଟନ ପରେ ଅପରାହ୍ଣ ୩ଟାରେ ରଥ ଉପରେ ମହାଆରତୀ କରାଯାଇଥିଲା । ଏହା ପରେ ୩ଟା ୩୦ରେ ସ୍ଥାନୀୟ ସେନାଭବନ ଠାରୁ ଆରମ୍ଭ ହୋଇଥିଲା ରଥଯାତ୍ରା ।  ୩୧ ତାରିଖ ପର୍ଯ୍ୟନ୍ତ ଏହି ରଥଯାତ୍ରାରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛି ଇସକନ୍‌। ଆସନ୍ତା କାଲି ଠାକୁରଙ୍କ ପୁଷ୍ୟାଭିଷେକ କରାଯିବ ।

କିଛି ଦିନ ପୂର୍ବେ ଦେଶର ବିଭିନ୍ନ ସ୍ଥାନରେ ଇସ୍କନ୍‌ର ଏଭଳି ଅଦିନିଆ ରଥଯାତ୍ରା ବିରୋଧରେ ସ୍ବର ଉଠାଇଥିଲା ନ୍ୟୁଜ୍‌ 7 । ଏହା ପରେ ସାରା ଓଡ଼ିଶାର ଜଗନ୍ନାଥପ୍ରେମୀ ମଧ୍ୟ ଇସ୍କନର ଏଭଳି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ଲୋକଙ୍କ ବିରୋଧକୁଦେଖି ଓଡ଼ିଶା ଇସ୍କନ୍‌ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା ଆୟୋଜନରୁ ବିରତ ରହିବେ ବୋଲି ଘୋଷଣା କରିଥିଲେ । ଏହା ପରେ ପଞ୍ଜାବରେ ଆୟୋଜିତ ରଥଯାତ୍ରାକୁ ବନ୍ଦ କରାଯାଇଥିଲା ।  ହେଲେ ଆଜି ପୁଣି ମୁମ୍ବାଇରେ ଅଦିନିଆ ରଥଯାତ୍ରା ଇସ୍କନର ମନମାନୀକୁ ପ୍ରମାଣିତ କରିଛି । ଇସ୍କନର ଏଭଳି ମନମାନୀ ବିରୋଧରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବାକୁ ଦାବି କରୁଛି ନ୍ୟୁଜ୍‌ 7 ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.