କାବୁଲ ବିସ୍ଫୋରଣ ପଛରେ କେରଳ ଯୁବକ, ୨୦୧୮ରେ ଆଇଏସରେ ସାମିଲ ହୋଇଥିଲେ
28/03/2020 at 3:00 PM

କେରଳ, ୨୮| ୦୩ : କାବୁଲ ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ରହିଛି । ଏହି ଆକ୍ରମଣରେ ୨୫ ଜଣ ଶିଖ୍ ପ୍ରାଣ ହରାଇଥିଲେ । ଏହି ଆକ୍ରମଣରେ ହାତ ଥିବା ୩ଜଣ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମଧ୍ୟରେ କେରଳର ଜଣେ ଯୁବକ ଥିବା ସନ୍ଦେହ କରାଯାଉଛି । ମହମ୍ମଦ ମହସିନନାମକ ଏହି ଯୁବକ କେରଳର କନ୍ନରରେ ବାସ କରୁଥିବା ଓ ତାହାର ପରିବାର ମଧ୍ୟ ସେଠାରେ ରହୁଥିବା କୁହାଯାଉଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏନେଇ ସୂଚନା ଦେଇଛି ।
ଶୁକ୍ରବାର ଆଇଏସ ଏକ ମାଗାଜିନ ପ୍ରକାଶ କରିଥିଲା । ଏଥିରେ ମାନବ ବୋମା ବିସ୍ଫୋରଣ କରିଥିବା ଆତଙ୍କବାଦୀର ଫଟୋ ରହିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ଅବୁ ଖଲିଦ ହୋଇଥିବା ବେଳେ ଆଉ ଜଣେ ହେଉଛି ମହମ୍ମଦ । ମହମ୍ମଦକୁ ତାହାର ପରିବାର ଲୋକେ ହିଁ ଚିହ୍ନଟ କରିଥିଲେ ।

ମହମ୍ମଦର ମାଆ କହିଛନ୍ତି ଯେ, ତାଙ୍କ ପରିବାର ଆଇଏସଠୁ ଟେଲିଗ୍ରାମ ଯୋଗେ ଏକ ମେସେଜ ପାଇଥିଲେ । ସେଥିରେ ମହମ୍ମଦ କାବୁଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ସୂଚନା ଦିଆଯାଇଥିଲା । ତେବେ ସେ ଏହି ମେସେଜକୁ ସୁରକ୍ଷାକର୍ମୀଙ୍କୁ ଦେଖାଇ ପାରିନଥିଲେ । କାରଣ ମହମ୍ମଦର ମାଆ ଭୟରେ ମେସେଜକୁ ଡିଲିଟ୍ କରିଦେଇଥିଲେ । ତେବେ ବିସ୍ଫୋରଣର ଗୋଟିଏ ଦିନ ପରେ ଆଇଏସ ସମର୍ଥିତ ଏକ ନ୍ୟୁଜ ଚ୍ୟାନେଲରେ କାଶ୍ମୀର ଘଟଣାର ପ୍ରତିଶୋଧ ବୋଲି କୁହାଯାଇଥିଲା ।
କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀଙ୍କ ସୂଚନାନୁସାରେ, କେରଳର ମହମ୍ମଦ ମହସୀନ ନାମରେ ଦୁଇଜଣ ଯୁବକ ଆଇଏସରେ ସାମିଲ ହୋଇଛନ୍ତି । ତେବେ କେଉଁ ମହମ୍ମଦ ବିସ୍ଫୋରଣ ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ମଧ୍ୟରୁ ଜଣେ ୨୦୧୯ରେ ଆମେରିକାର ଆକ୍ରମଣରେ ପ୍ରାଣ ହରାଇଥିଲା । ଉଭୟ ୨୦୧୮ର ଯୋଗଦେଇଥିଲେ ।