ପୋଖରାନ୍‌ରୁ ଗିରଫ ପାକିସ୍ତାନ (ISI) ଗୁପ୍ତଚରର ସେନା ଲିଙ୍କ୍‌, ଯବାନଙ୍କୁ ଧରିଲା ମିଲିଟାରୀ ଇଣ୍ଟେଲିଜେନ୍‌ସ

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ, ୧୫/୦୭: ପାକିସ୍ତାନ ଗୁଇନ୍ଦା ବିଭାଗ (Pakistan spy agency ISI) ପାଇଁ କାମ କରୁଥିବା ସ୍ଲିପର୍‌ ସେଲ୍‌ଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ୍‌ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସର ଅପରେଶନ୍‌ ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ପୋଲିସ୍‌ ପୋଖରାନ୍‌ରୁ ହବିବୁର ରେହମାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟକୁ ଆଧାର କରି ରେହମାନ ଉପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

ହବିବୁର ରେହମାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରେହମାନ ପାକିସ୍ତାନ ମଧ୍ୟ ଯାଇସାରିଛି । ତା ପାଖରେ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଦସ୍ତାବିଜ ସହିତ ସ୍ଥଳ ଅଞ୍ଚଳର ମାନଚିତ୍ର ମଧ୍ୟ ଜବତ କରାଯାଇଛି । ଜଣାପଡ଼ିଛି ଏହି ସବୁ ଦସ୍ତାବିଜ୍‌ ଏବଂ ମ୍ୟାପ୍‌ ଆଉ କେହି ନୁହେଁ ସେନାର ଯବାନ ହିଁ ଯୋଗାଉଥିଲେ ।

ରେହମାନକୁ ଜେରା ବେଳେ ସେ ଏକଥା ସ୍ୱୀକାର କରିଛି ଯେ, ଦସ୍ତାବିଜ ଆଗ୍ରାରେ ନିୟୋଜିତ ଯବାନ ପରମଜିତ କୌରଙ୍କ ଠାରୁ ସେ ପାଉଥିଲା । କମଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଏହା ଦେବାକୁ ସେ ରଖିଥିଲେ । ଏଥିରୁ  ଆଇଏସ୍‌ଆଇର ଗୁପ୍ତଚରଗିରି ସ୍ପଷ୍ଟ ଜଣାପଡ଼ୁଛି ।

ରେହମାନକୁ ଗିରଫ କରାଯିବା ପରେ ବର୍ତ୍ତମାନ ମିଲିଟାରୀ ଇଣ୍ଟେଲିଜେନ୍‌ସ ଆଗ୍ରାଠାରେ ନିୟୋଜିତ ହୋଇଥିବା ସେନା ଯବାନ ପରମଜିତଙ୍କୁ ପଚରାଉଚରା ଆରମ୍ଭ କରିଛି। ଖୁବ୍ ଶୀଘ୍ର ମିଲିଟାରୀ ଇଣ୍ଟେଲିଜେନ୍ସ ପାରମଜିତଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବ। ମିଳିଥିବା ସୂଚନା ଅନୁଯାୟୀ, ସେନା ଯବାନ ପରମଜିତଙ୍କୁ ଏଥିପାଇଁ ଗିରଫ କରାଯାଇପାରେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.