ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପଛରେ ସୁଚିନ୍ତିତ ପ୍ଲାନ ? ଗୋଟିଏ ଅଞ୍ଚଳରୁ ବିଭିନ୍ନ ସମୟରେ ତିନି ଜଣ ବିଧାନସଭା ଆଗରେ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ...

Published By : Prameya-News7 Bureau | September 10, 2021 IST

ଭୁବନେଶ୍ଵର ୧୦।୦୯: କୁଜଙ୍ଗ ଥାନା  ପାଟଣା ଗାଁର ଦୁଷ୍ମନ୍ତ ଦାସ ମୃତ୍ୟୁକୁ ତିନିଦିନ ପୁରିବାକୁ ବସିଥିଲେ ମଧ୍ୟ ଘଟଣା ରହସ୍ୟମୟ ହେବାରେ ଲାଗିଲାଣି। ତାଙ୍କୁ କିଛି ଲୋକ ଉସୁକାଇ ବିଷ ପିଆଇ ତାଙ୍କ ହାତ କାଟିଥିବା ପରିବାର ପକ୍ଷରୁ ଥାନାରେ  ଅଭିଯୋଗ କରାଯାଇଛି। ତେବେ ଏହି ସମୟରେ ଚର୍ଚ୍ଚାକୁ ଆସିଛି ତିନି ଘଟଣା।

ଏହି ତିନି ଘଟଣାରେ ଦେଖାଯାଇଛି  କିଛି ସାମାଞ୍ଜସ୍ୟ। ସାମଞ୍ଜସ୍ୟ ଭିତରୁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଅମୃତ ଦାସ, ଉଲ୍ଲାସ ଦାସ ଏବଂ ଦୁଷ୍ମନ୍ତ ଦାସ ତିନି ଜଣ ଗୋଟିଏ ଅଞ୍ଚଳର। ଏମାନେ ଜଗତସିଂହପୁର  କୁଜଙ୍ଗ ଥାନା ପଙ୍କପାଳ ଅଞ୍ଚଳର। ଉଲ୍ଲାସ ଦାସ ପଙ୍କପାଳ ପଞ୍ଚାୟତ ପଙ୍କପାଳ ଗାଁର ଏବଂ ଦୁଷ୍ମନ୍ତ ଦାସ ପଙ୍କପାଳ ପଞ୍ଚାୟତ ମନ୍ତ୍ରିପାଟଣା ଗାଁ ଏବଂ ଅମୃତ ଦାସ ନିକଟସ୍ଥ କୁଜଙ୍ଗ ପଞ୍ଚାୟତ କୁଜଙ୍ଗ ଗାଁର। 

ପ୍ରଶ୍ନ ଉଠୁଛି କୁଜଙ୍ଗରୁ ବିଧାନସଭା ଯାଏଁ ଯାଇ ସେଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ତିନି ଜଣଙ୍କ କାହାଣୀରେ ସମାନତା ସଂଯୋଗ ବଶତଃ ହୋଇଛି ନାଁ ଏହା ପଛରେ ରହିଛି କିଛି ସୁଚିନ୍ତିତ ପ୍ଲାନ। ଏମିତି ପ୍ରଶ୍ନ ଏବେ ଏହି ଅଞ୍ଚଳବାସୀଙ୍କୁ ବି ବିବ୍ରତ କଲାଣି। କଥାର ସନ୍ଦେହ ସେତେବେଳେ ଯୋର ଧରୁଛି ଯେତେବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ହେଉଛି ଏବଂ ତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରୁଛି ଯେ ଦୁଷ୍ମନ୍ତଙ୍କୁ ୨ଜଣ ଡାକି ନେଇଥିଲେ ଏବଂ ସେହିମାନେ ହୁଏତ ତାଙ୍କୁ ବିଷ ଦେଇଛନ୍ତି ଏବଂ ହାତ କାଟିଛନ୍ତି।

ଯଦି କେହି ବାସ୍ତବରେ ଏହାର ସ୍କ୍ରିପ୍ଟ ତିଆରି କରିଛି ତେବେ ସାଂଘାତିକ ଯେଉଁଥିରେ ଜଣଙ୍କ ପରେ ଜଣେ ବ୍ୟକ୍ତିଙ୍କୁ ଉସୁକାଇ ବିଧାନସଭା ପର୍ଯ୍ୟନ୍ତ ଅଣାଯାଉଛି ଏବଂ ଏଠାରେ ଆତ୍ମହତ୍ୟା ଉଦ୍ୟମ କରାଯାଉଛି। ଏହି ଡ୍ରାମା ସାଂଘାତିକ ଟ୍ଵିଷ୍ଟ ନେବାରୁ ଜଣଙ୍କର ଜୀବନ ଯାଇଛି। ଯଦି ଏଥିରେ ଉସୁକାଉଥିବା କାର୍ପଟଦାର ରହିଛନ୍ତି ସେମାନଙ୍କୁ ତୁରନ୍ତ ଧରାନଗଲେ ଆଗକୁ ଆଉ କିଛି ଅଘଟଣ ଘଟିବା ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.