କ'ଣ ଶେଷ ହେଉଛି କୋହଲିଙ୍କ ଯୁଗ, ଟେଷ୍ଟ ଅଧିନାୟକତ୍ଵ ବି ବିପଦରେ ?

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯।୧୨: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ଟେଷ୍ଟ ଦଳର ଘୋଷଣା ସହିତ ଦୁଇଟି ବଡ ଘୋଷଣା କରିଛି। ପ୍ରଥମ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇଛି। ଦ୍ଵିତୀୟ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହାର ସିଧା ବାର୍ତ୍ତା ଏହା ଯେ, ଦଳରେ ଏବେ ବିରାଟ କୋହଲିଙ୍କ ପତିଆରା କମ ହୋଇଛି ଏବଂ କ୍ଷମତା ସଙ୍କୁଚିତ ହୋଇ ଯାଇଛି। ଏବେ ରୋହିତ ଶର୍ମା ତିନି ଫର୍ମାଟ୍‌ରେ ବଡ ଭୂମିକାରେ ନଜର ଆସିବେ। ସେ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକତ୍ଵ କରିବା ସହ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ।

ଶେଷ ହେଉଛି କୋହଲିଙ୍କ ଯୁଗ ?

ଏହି ଦୁଇ ନିଷ୍ପତ୍ତିରୁ ଏହା ସ୍ପଷ୍ଟ ଯେ, ରୋହିତଙ୍କୁ ପ୍ରମୋସନ ମିଳିବା ପରେ ଏବେ ବିରାଟ କୋହଲିଙ୍କ ଉପରେ ଟେଷ୍ଟ ଫର୍ମାଟରେ ଅଧିନାୟକ ଏବଂ ବ୍ୟାଟସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିବାର ଚାପ ପଡିବ। ଘରୋଇ ଟେଷ୍ଟ ସିରିଜ୍‌ରେ ଭାରତ ଲମ୍ବା ସମୟ ଧରି ଅଜେୟ ରହିଛି। ଏବେ ବିରାଟଙ୍କ ଉପରେ ଭାରତୀୟ ଉପ ମହାଦ୍ଵୀପ ବାହାରେ ଟେଷ୍ଟ ସିରିଜ୍ ଜିତିବାର ଚାପ ରହିବ। ଏଥିସହ ବିରାଟଙ୍କୁ ବ୍ୟାଟ୍‌ରେ ସେହି କମାଲ ଦେଖାଇବାକୁ ପଡିବ, ଯେଉଁଥିପାଇଁ ସେ ପରିଚିତ।

ବିପଦରେ ଟେଷ୍ଟ କ୍ୟାପଟେନ୍ସି ?

ଭାରତୀୟ ଦଳ ଗତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ରେ ବିଜୟ ହାସଲ କରିଥିଲା। କିନ୍ତୁ ସେହି ସମୟରେ କୋହଲିଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ବିରାଟ ପ୍ରଥମ  ଟେଷ୍ଟରେ ଦଳର ନେତୃତ୍ଵ ନେଇଥିଲେ ଏବଂ ଦଳ ଶୋଚନୀୟ ପରାଜୟ ଭୋଗିଥିଲା। ପରେ ସେ ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରି ଆସିଥିଲେ। ମୋଟ୍ ୯୭ ଟେଷ୍ଟ ଖେଳି ସାରିଥିବା ବିରାଟ ଯଦି ଇଚ୍ଛା ପ୍ରକାଶ କରିବେ ନାହିଁ ତେବେ ସମ୍ଭବତଃ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ମଧ୍ୟ କରାଯାଇପାରେ।

ଜବରଦସ୍ତ ରହିଛି ରୋହିତ ଶର୍ମାଙ୍କ ରେକର୍ଡ

ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ୧୦ ଦିନିକିଆ ଖେଳିଛି। ଏଥିରୁ ଦଳ ୮ଟିରେ ବିଜୟ ହାସଲ କରିଛି। ଏଥିରୁ ଅନୁମାନ କରି ପାରିବେ ଯେ, ତାଙ୍କ ନେତୃତ୍ଵରେ ଭାରତୀୟ ଦଳର ରେକର୍ଡ କେମିତି ରହିଛି। ଏହି ସମୟରେ ରୋହିତ ୭୭.୫୭ ହାରରେ ୫୪୩ ରନ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଦ୍ଵିଶତକ ଏବଂ ଦୁଇଟି ଦ୍ଵିଶତକ ରହିଛି। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୨୦୮ ରନ  ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.