ସମାପ୍ତ ହେବାକୁ ଯାଉଛି ଆନ୍ଦୋଳନ ? ୧୬୯ ଦିନ ପରେ ରେଳ ଧାରଣାରୁ ହଟିଲେ କୃଷକ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧।୦୩: କେନ୍ଦ୍ର ସରକାରଙ୍କ ନୂତନ ତିନି କୃଷି ଆଇନ ବିରୋଧରେ ରେଳ ଧାରଣାରେ ଧାରଣା ଦେଉଥିବା କୃଷକଙ୍କ ଏକ ଗୋଷ୍ଠୀ ୧୬୯ ଦିନ ପରେ ଗୁରୁବାର ନିଜର ଆନ୍ଦୋଳନ ସମାପ୍ତ କରିଛନ୍ତି। କାରଣ ରେଳ ଚଳାଚଳ ସ୍ଥଗିତ ହେବା କାରଣରୁ ସେମାନଙ୍କୁ ଏବଂ ବ୍ୟବସାୟୀଙ୍କ କ୍ଷତି ଘଟୁଥିଲା।

କିଷାନ ମଜଦୁର ସଂଘର୍ଷ ସମିତିର ନେତା ସବିନ୍ଦର ସିଂହ କହିଛନ୍ତି, ସେ ସମସ୍ତ ପ୍ରଦର୍ଶନକାରୀ  କୃଷକ ସଂଗଠନ ସହିତ ବୈଠକ ପରେ ଅମୃତସର-ଦିଲ୍ଲୀ ମାର୍ଗରେ ଦେବୀଦାସପୁରାରେ ରେଳ ଜାମ ସମାପ୍ତ କରିବାକୁ ନିର୍ଣ୍ଣୟ ନେଇଛନ୍ତି।

ସେ କହିଛନ୍ତି କୃଷକ କେବଳ ଯାତ୍ରୀବାହୀ ଟ୍ରେନକୁ ରୋକୁଥିଲେ। କିନ୍ତୁ କେନ୍ଦ୍ର ମାଲଗାଡି ଚଳାଚଳ ରୋକିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ କୃଷକ, ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କ ବହୁତ କ୍ଷତି ଘଟୁଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ବସମ୍ମତି କ୍ରମେ କୃଷକ ସଂଗଠନ ରେଲ ରୋକ୍ ଆନ୍ଦୋଳନ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକାରୀ କହିଛନ୍ତି, କୃଷକ ଏଠାରେ ଆନ୍ଦୋଳନ ସମାପ୍ତ କରିବା ପରେ କିଛି ଦିନ ପରେ ରେଳ ଚଳାଚଳ ସ୍ଵାଭାବିକ ଭାବେ ଆରମ୍ଭ କରାଯିବ।

wp:html /wp:html

କେନ୍ଦ୍ର ସରକାରଙ୍କ ତିନି ନୂତନ କୃଷି ଆଇନ୍ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଗତ ୧୦୦ରୁ ଅଧିକ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ହଜାର ସଂଖ୍ୟକ କୃଷକ ଏମଏସପି ଉପରେ ସ୍ଵତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି। ମାର୍ଚ୍ଚ ୨୬ରେ କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।

ସୂଚନାଯୋଗ୍ୟ, କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଗତ କିଛି ମାସରେ ୧୦ରୁ ଅଧିକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ହେଲେ ଉଭୟ ପକ୍ଷ ମଧ୍ୟରେ ଅଦ୍ୟାବଧି କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।  କୃଷକ ସଂଗଠନ ନିଜର ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.