୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବନି ? ସରକାର ଦେଲେ ଏମିତି ସୂଚନା
24/01/2021 at 4:10 PM

ନୂଆଦିଲ୍ଳୀ ୨୪/୦୧: ଦେଶରେ ଚଳିବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ। ଏମିତି ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। ବିଭିନ୍ନ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଏନେଇ ସୂଚନା ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛନ୍ତି ଯେ, ଦେଶରେ ମାର୍ଚ୍ଚ ୨୦୨୧ ପରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ। ଏଭଳି କିଛି ହେଡଲାଇନ୍ ଦେଖିବାକୁ ମିଳିଥିଲା। ଏପରିକି ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ପ୍ରଚାର କରାଯାଉଛି।
ଏହି ଖବର ପ୍ରଚାରିତ ହେବା ପରେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଫ୍ୟାକ୍ଟ ଚେକ୍ କରିଛି। ପରେ ଏନେଇ ରିପୋର୍ଟ ପ୍ରକାଶ କରିଛି। ପିଆଇବି ପକ୍ଷରୁ ଟ୍ବିଟ୍ କରି ଜଣାଇଛି, ‘ମାର୍ଚ୍ଚ ୨୦୨୧ ପରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବ ନାହିଁ ବୋଲି ଦାବି କରାଯାଉଛି। ଏନେଇ ଆରବିଆଇ ଘୋଷଣା କରିଥିବା ବି ଦାବି ହେଉଛି। କିନ୍ତୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା।’
ସୂଚନାଯୋଗ୍ୟ, ଏଭଳି କିଛି ଦାବି ବିମୂଦ୍ରୀକରଣ ସମୟରେ ହୋଇଥିଲା। କିନ୍ତୁ ପରେ ୮ ନଭେମ୍ବର ୨୦୧୬ରେ ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଥିଲେ। ସେହିଦିନ ରାତିରୁ ହିଁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହେଲା ବୋଲି ମୋଦି ଘୋଷଣା କରିଥିଲେ। ଯାହାକୁ ବିମୁଦ୍ରୀକରଣ ବୋଲି କୁହାଯାଏ। ୨୦୧୮ରେ ଆରବିଆଇ ୧୦, ୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୂଆ ନୋଟ୍ ପ୍ରସ୍ତୁତ କରିଥିବା ବେଳେ ନୂଆ କରି ୨୦୦୦ ଟଙ୍କିଆ ନୋଟ୍ ଲୋକଙ୍କ ପାଖରେ ପହଞ୍ଚିଥିଲା।