ପଞ୍ଚମ ଟେଷ୍ଟ ରଦ୍ଦ ପଛର କାରଣ କଣ ? ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ପୂର୍ବତନ କ୍ରିକେଟର ଦେଲେ ବିସ୍ଫୋରକ ବୟାନ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ  ୧୫/୦୯: ଟେଷ୍ଟ ସିରିଜ୍‌ ରଦ୍ଦ ପାଇଁ ଦାୟୀ କିଏ ? ଏଭଳି ପ୍ରଶ୍ନ ଖେଳପ୍ରେମୀଙ୍କ ମହଲରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୂର୍ବତନ କ୍ରିକେଟର ଦିଲ୍ଲୀପ ଦୋଶୀଙ୍କ ମନ୍ତବ୍ୟ ଏବେ ଚହଳ ପକାଇଛି। ଲଣ୍ଡନରେ ପୁସ୍ତକ ଉନ୍ନୋଚନ ସମାରୋହରେ କୌଣସି କ୍ରିକେଟର ମାସ୍କ ପିନ୍ଧି ନଥିଲେ​‌ ବୋଲି କହିଛନ୍ତି ଦୋଶୀ। ଭାରତ ଏବଂ ଇଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍‌ ରଦ୍ଦ ହୋଇଥିଲା। ଏଥିପାଇଁ ବ୍ରିଟିଶ ମିଡିଆ ରବି ଶାସ୍ତ୍ରୀଙ୍କୁ  ଦାୟୀ କରିଥିଲା। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅନୁସାରେ ଇଭେଣ୍ଟରେ ସାମିଲ ହେବା ପାଇଁ ଟିମ୍‌ ଇଣ୍ଡିଆ ବୋର୍ଡ ପାଖରୁ ଅନୁମତି ନେଇନଥିଲା।

ଏହାରି ଭିତରେ ଦୋଶୀ ଯିଏକି ସେହି ବୁକ ଲଞ୍ଚ ଇଭେଣ୍ଟରେ ସାମିଲ ଥିଲେ ସେ ଦୃଢ଼ୋକ୍ତି ବାଢ଼ିଛନ୍ତି, କାର୍ଯ୍ୟକ୍ରମରେ କୌଣସି ଖେଳାଳି ମାସ୍କ ପିନ୍ଧିନଥିଲେ। ଏହା ସହ ସେଠାରେ ଅଧିକ ଭିଡ଼ ଦେଖି କୌଣସି ଖେଳାଳି ୧୦ ମନିଟ୍‌ରୁ ଅଧିକ ରହିନଥିଲେ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ବୁକ୍‌ ରିଲିଜ୍‌ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲି। ମୋତେ ପ୍ରକୃତରେ ତାଜ ଗ୍ରୁପ୍‌ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଟିମ ଇଣ୍ଡିଆର ଖେଳାଳି କମ ସମୟ ପାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି କାରଣ କେହି ଜଣେ ବି ମାସ୍କ ଲଗାଇନଥିଲେ।’

କିନ୍ତୁ ଦୋଶୀଙ୍କ ମତରେ ସେ ହୋଇଥିଲେ ଖେଳାଳିଙ୍କୁ ମାସ୍କ ପିନ୍ଧିବାକୁ କହିଥାନ୍ତେ। ଅନ୍ୟ ଉପରେ ଭରସା ନାହିଁ ବୋଲି ନୁହେଁ ବରଂ ନିଜକୁ ସୁରକ୍ଷିତ ରଖିବାକୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ କରିଥାନ୍ତେ ବୋଲି କହିଛନ୍ତି ଦିଲ୍ଲୀପ ଦୋଶୀ। ଟେଷ୍ଟ ରଦ୍ଦ ହେବା ପଛରେ ଦୋଶୀ ଆଇପିଏଲକୁ ଅନ୍ୟ ଏକ କାରଣ ବୋଲି କହିଛନ୍ତି।

ସେ କହିଛନ୍ତି, ‘ଏହା ପୂର୍ବରୁ ମୁଁ ମୋର ଜଣେ ବନ୍ଧୁ ମାଇକେଲ ହୋଲ୍ଡିଂଙ୍କ ସହ କଥା ହେଉଥିଲି। ସେ ମୋତେ କହିଲେ ଭାରତୀୟ ଟେଷ୍ଟ ଶେଷ ଟେଷ୍ଟ ଚାହୁଁନଥିଲା। ଇଂଲଣ୍ଡ ଟେଷ୍ଟ ଏବଂ ଆଇପିଏଲ ମଧ୍ୟରେ ପ୍ରର୍ଯ୍ୟାପ୍ତ ସମୟ ରଖିବାକୁ ଓଭାଲ ଟେଷ୍ଟରୁ ସିରିଜ୍‌ ସମାପ୍ତ କରିବାକୁ ଚାହୁଁଥିଲା ବିସିସିଆଇ । କିନ୍ତୁ ଇସିବି ପଞ୍ଚମ ଟେଷ୍ଟ ଉପରେ ଜୋର ଦେଇଥାଇପାରେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.