ଦିଦି ଦାୟୀ ହେବେ କି ? ଓଡ଼ିଶା କରୋନାର ବେଙ୍ଗଲ ଲିଙ୍କ୍ ସେପଟେ କେନ୍ଦ୍ର ସହ ଟକ୍କର

Published By : Prameya-News7 Bureau | April 21, 2020 IST

ଭୁବନେଶ୍ବର ୨୧.୦୪- ରାଜ୍ୟରେ କରୋନା ସଂକ୍ରମଣ ସହ ପଶ୍ଚିମବଙ୍ଗର ସଂପର୍କ ନେଇ  ଚିନ୍ତାରେ ଓଡ଼ିଶା ସରକାର । କାରଣ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କୋଭିଡ୍-୧୯ ପଜିଟିଭ୍‌ଙ୍କ ମଧ୍ୟରୁ ତିନିଭାଗରୁ ବେଶି ସଂକ୍ରମିତଙ୍କର ରହିଛି ପଶ୍ଚିମବଙ୍ଗ ସହ ସଂପର୍କ । ଅର୍ଥାତ୍‌ ସେମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ସେଠାରୁ ଆସିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହି ତଥ୍ୟ ଆସିବା ପରେ ଏବଂ କରୋନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ  ବିବାଦ  ଆଶଙ୍କାକୁ ବଢାଇଛି । ଏହାସହ ପଶ୍ଚିମବଙ୍ଗରେ  କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଚିନ୍ତାଜନକ ବୋଲି ହେଉଥିବା ସନ୍ଦେହ ଏବଂ ଆଶଙ୍କା ମଧ୍ୟ ଆହୁରି ବଢିଯାଉଛି ।

ସୋମବାର ସଂଧ୍ୟା ସୁଦ୍ଧା ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ ୭୪  କରୋନା ସଂକ୍ରମିତଙ୍କ ମଧ୍ୟରୁ ଏପରି ଭାବେ ପଶ୍ଚିମବଙ୍ଗ ଲିଙ୍କ୍‌  ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଥିଲା । ମଙ୍ଗଳବାର  ପଜିଟିଭ୍‌ ଟିହ୍ନଟଙ୍କ ମଧ୍ୟରେ  ୫ ଜଣଙ୍କର କୋଲକାତା ଲିଙ୍କ୍ । ସବୁଠୁ ଚିନ୍ତା ଜନକ ହେଲା ରବିବାର ମଧ୍ୟ ରାତ୍ରିରୁ  ସୋମବାର ମଧ୍ୟ ରାତ୍ରି ମଧ୍ୟରେ ଓଡ଼ିଶାରେ ୧୮ଟି ନୂଆ କୋଭିଡ୍ ୧୯ କେସ୍‌ ମଧ୍ୟରୁ ଅଧିକାଂଶ ବାଲେଶ୍ବର ଭଦ୍ରକ ଏବଂ ଯାଜପୁର ଅଞ୍ଚଳର ,ଆଉ ସେଥିମଧ୍ୟରେ କୋଲକାତା ଫେରନ୍ତାଙ୍କ ସଂଖ୍ୟା ଅଧିକ ।

 ଏପଟେ ମେଦିନାପୁରରୁ ଆସି ଭୁନେଶ୍ବରରେ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ  ଚିନ୍ତା ବି ବଢିଛି । ଯଦିଓ ଚିକିତ୍ସାବେଳେ କୋଭିଡ୍-୧୯ ପଜିଟିଭ୍‌ ଜଣା ପଡିଥିବା ସେହି ବ୍ୟକ୍ତିଙ୍କର ରାଜଧାନୀର ଏକ ସ୍ବତନ୍ତ୍ର କୋଭିଡ୍ ଡାକ୍ତରକାନାରେ ଚିକିତ୍ସା କରାଯାଇଥିଲା ଏବଂ ସେ କରୋନାରୁ ସୁସ୍ଥ ହୋଇଥିଲେ । କିନ୍ତୁ ଏକାଧିକ କାରଣରୁ ଅସୁସ୍ଥ ସେହି ବ୍ୟକ୍ତିଙ୍କର କ୍ୟାନସରରେ ଏବେ ମୃତ୍ୟୁ ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେଣୁ ସେ ମେଦିନାପୁରରୁ କରୋନା ସଂକ୍ରମିତ ହୋଇଆସିଥିଲେ ବୋଲି ସନ୍ଦେହ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ସରକାରୀ ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବେଶ୍ ଦୀର୍ଘ ଭାବେ ସଂଯୁକ୍ତ ହୋଇଥିବାରୁ  ସେଠାରେ ଥିବା ଓଡ଼ିଆ ମାନେ ବିଭିନ୍ନ ବାଟରେ ରାଜ୍ୟ ଭିତରକୁ ଆସୁଛନ୍ତି । ତେବେ ସେମାନଙ୍କୁ ଚିହ୍ନଟ କରି କ୍ବାରେଣ୍ଟାଇନରେ ରଖିବାକୁ ସରପଞ୍ଚ ମାନଙ୍କୁ କୁହାଯାଇଛି । ସରକାରୀ ସ୍ତରରେ ଏଥିପ୍ରତି କଡା ନଜର ଥିଲେ ବି  ପଶ୍ଚିମବଙ୍ଗ ଲିଙ୍କ୍‌ ଟେନସନ୍‌ ବଢାଇଛି ।

 ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସହ ପଶ୍ଚିମବଙ୍ଗ ଲିଙ୍କ୍‌ ସେଠାକାର ପରିସ୍ଥିତି ଚିନ୍ତାଜନକ ଥିବା ନେଇ ସନ୍ଦେହକୁ ଆହୁରି ଦୃଢ କରିଛି । ସେପଟେ କେନ୍ଦ୍ର ସରକାରଙ୍କ  ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ୍‌  ( ଆଇସିଏମ୍‌ଆର ) କୁ କୋଲକାତା ଏବଂ ଜଲପାଇଗୁଡିରେ ପ୍ରବେଶ କରିବାକୁ ଦେଇ ନାହାନ୍ତି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାହାଲେ କ’ଣ  ଦିଦି ସତ ଲୁଚାଉଛନ୍ତି ? କାରଣ ଓଡ଼ିଶା ଆସିଥିବା ଏବଂ କୋଲକାତା ଯାଇ ଫେରିଥିବା ଓଡ଼ିଆଙ୍କ ସହ ମେଦିନାପୁରରୁ ଓଡ଼ିଶା ଚିକିତ୍ସା ଲାଗି ଆସିଥିବା  କରୋନା ସଂକ୍ରମିତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିଲେ ତାହା ଏକ ବିରାଟ ସଂଖ୍ୟା ହେବାର ଆଶଙ୍କା ରଖୁଛି । ଯଦି ଏପରି କିଛି ଲୋକ ସୁପର ସ୍ପ୍ରେଡର ହୋଇଯାଆନ୍ତି ତେବେ ପରିସ୍ଥିତି କେତେ ଭୟାବହ ହେବ ତାହା ଅନୁମାନ କରିବା ବି କଷ୍ଟ ।ତେଣୁ ଦାୟୀ ହେବେ ନି ତ ଦିଦି ? ଯଦି  ଦିଦି କରୋନା ମୁକାବିଲାରେ ଏତେ ତତ୍ପର ତେବେ କାହିଁକି  କେନ୍ଦ୍ର କୁ ସହୟୋଗ କରୁନାହାନ୍ତି । କୋଲକାତା, ମେଦିନାପୁର , ଜଲପାଇଗୁଡିରେ କରୋନା ସଂକ୍ରମିତଙ୍କ  ସ୍ଥିତି କ’ଣ ସଂଖ୍ୟା କେତେ  ? କେତେଜଣ କ୍ବାରାଣ୍ଟାଇନ୍‌ରେ  ଅଛନ୍ତି ?  ପୃଥକବାସରେ ବା ଡାକ୍ତରଖାନାରେ କେତେ ?  ଏସବୁ ନେଇ ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ସ୍ପଷ୍ଟ କରିବା ଉଚିତ୍‌ . ସନ୍ଦେହ ଦୂର କରିବା ଉଚିତ୍ । ନହେଲେ ଦିଦି ହେବେ ଉତ୍ତରଦାୟୀ ।  ଭଗବାନ କରନ୍ତୁ ସେପରି କିଛି ଅଘଟଣ ନଘଟୁ। କରୋନାକୁ ରୋକିବା , ନିପାତ- ନିଃଶେଷ କରିବା ଆମ ସମସ୍ତଙ୍କ ପାଇଁ ,  ଏବଂ ରାଜ୍ୟ, ଦେଶ ଏବଂ ସାରା ବିଶ୍ବ ଲାଗି ଜରୁରି । ଏହା ଦୋଷ ଦେବାର  ଏକ କାଳବେଳ  ନୁହେଁ, ଦୋଷକୁ ସ୍ଥାନ ନଦେବାର ସମୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.