ଆରଜେଡି ସହ ହାତ ମିଶାଇବେ ଚିରାଗ ? କହିଲେ- ମୋ ବାପା ଲାଲୁଙ୍କ ଘନିଷ୍ଠ ବନ୍ଧୁ ଥିଲେ, ତେଜସ୍ବୀ ମୋର ଛୋଟ ଭାଇ

Published By : Prameya-News7 Bureau | June 26, 2021 IST

ପାଟନା ୨୬/୬: ବିହାର ରାଜନୀତିରେ ଘଟଣାକ୍ରମ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ଶନିବାର ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନେତା ଚିରାଗ ପାସଓ୍ବାନଙ୍କ ମନ୍ତବ୍ୟ ବିହାର ରାଜନୀତିକୁ ସରଗରମ କରିଛି। ସେ କହିଛନ୍ତି ମୋ ବାପା ଏବଂ ଲାଲୁ ପ୍ରସାଦ ଯାଦବ ଘନିଷ୍ଠ ବନ୍ଧୁ ଥିଲେ। ତେଜସ୍ବୀଙ୍କୁ ମୁଁ ପିଲାଟି ବେଳୁ ଜାଣିଛି। ସେ ମୋର ଛୋଟ ଭାଇ ଭଳି। ବିହାରରେ ନିର୍ବାଚନ ଆସିରେ ଦଳ ଆରଜେଡି ସହ ମେଣ୍ଟ କରିବାକୁ ନେଇ ଅନ୍ତିମ ନିଷ୍ପତ୍ତି ନେବ ବୋଲି ଚିରାଗ କହିଛନ୍ତି।

ଏଲ୍‌ଜେପି ନେତା ଚିରାଗ ପାସୱାନ ଦାଦା ପଶୁପତି ପାରସଙ୍କଠାରୁ ଧୋକା ଖାଇବା ପରେ ଧୀରେ ଧୀରେ ଆର୍‌ଜେଡି ମୁହାଁ ହେଉଥିବା ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଲାଣି । କାରଣ ଆରଜେଡି ପ୍ରତି ଚିରାଗଙ୍କର ନରମ ଆଭିମୁଖ୍ୟ ଏହା ଦର୍ଶାଉଛି । ଏଏନଆଇ ସହ କଥା ହେବା ବେଳେ ଚିରାଗ ପାସଓ୍ବାନ କହିଛନ୍ତି, ସିଏଏ ଓ ଏନଆରସି ସମେତ ପ୍ରତି କ୍ଷେତ୍ରରେ ବିଜେପି ସହିତ ଛିଡ଼ା ହୋଇଛି। ଅନ୍ୟପଟେ ନୀତିଶ କୁମାର ସହମତି ପ୍ରକାଶ କରୁନାହାନ୍ତି। ଏବେ ବିଜେପିକୁ ନିଷ୍ପତ୍ତି ନେବାକୁ ପଡ଼ିବ ଆଗାମୀ ଦିନରେ ମୋର ନା ନୀତିଶ କୁମାରଙ୍କ ସମର୍ଥନ କରିବ।

ଏହା ବ୍ୟତୀତ ଚିରାଗ କହିଛନ୍ତି, ମୁଁ ହନୁମାନଙ୍କ ଭଳି ପ୍ରତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଖରାପ ସମୟରେ ସାଥ ଦେଇଛି ଏବଂ ଆଜି ହନୁମାନଙ୍କ ରାଜନୈତିକ ବଦ୍ଧ ହେବାକୁ ଯାଉଛି। ମୁଁ ଆଶା କରୁଛି ଏଭଳି ସମୟରେ ରାମ ନିରବ ରହିବେ ନାହିଁ। ଅନ୍ୟପଟେ ଆରଜେଡି ନେତା ତେଜସ୍ବୀ ଯାଦବ ପୁଣି ଥରେ ଚିରାଗ ପାସଓ୍ବାନଙ୍କ ଆଡ଼କୁ ବନ୍ଧୁତ୍ବର ହାତ ବଢ଼ାଇଛନ୍ତି।

ପ୍ରଥମେ ତାଙ୍କ ସହ ଆସିବାକୁ ଚିରାଗଙ୍କୁ ଅଫର ଦେଇଥିଲେ ତେଜସ୍ବୀ। ଏବେ ତାଙ୍କ ପାର୍ଟି ରାମବିଳାଶ ପାସଓ୍ବାନଙ୍କ ଜୟନ୍ତୀ ପାଳନ କରିବ। ଏହି ଅବସରରେ ଦଳର ସମସ୍ତ ବରିଷ୍ଠ ନେତା ସ୍ବର୍ଗତ ରାମବିଳାଶଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ମଧ୍ୟ କରିବେ। ସେହି ଦିନ ଆରଜେଡିର ପ୍ରତିଷ୍ଠା ଦିବସ ଥିବା ବେଳେ ଦଳଗତ କାର୍ଯ୍ୟକ୍ରମ ତାପରେ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.