ପୁସ୍ତକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା: ପିଲାଙ୍କ ପାଇଁ ସ୍କୁଲ ଲାଇଵ୍ରେରୀକୁ ଯୋଗାଇ ଦିଆଯାଇଥିଲା ଅଶ୍ଳୀଳ ପୁସ୍ତକ !
7/12/2020 at 6:39 PM

କଟକ ୦୭/୧୨ : ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟଗୁଡିକର ପାଠାଗାର ପାଇଁ ପୁସ୍ତକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପାଠାଗାର ପାଇଁ ବହି ଯୋଗାଇବା ଲାଗି ଆଗ୍ରହୀ ପ୍ରକାଶକ ଚୟନ ପାଇଁ କୌଣସି ବିଜ୍ଞାପନ ପ୍ରକାଶ ନକରି ହାତଗଣତି ପ୍ରକାଶକଙ୍କୁ କୋଟି କୋଟି ଟଙ୍କାର ବହି ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେପଟେ କୋମଳମତି ପିଲାମାନଙ୍କ ପାଇଁ ଅତ୍ୟନ୍ତ ଅଶ୍ଳୀଳ ପୁସ୍ତକ ସ୍କୁଲ ଲାଇଵ୍ରେରୀକୁ ଯୋଗାଇ ଦିଆଯାଇଥିବା ସଂଗୀନ ଅଭିଯୋଗ ମଧ୍ୟ ଆସିଛି । ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ପୁସ୍ତକ ଚୟନ ପ୍ରସଙ୍ଗ ସଂସ୍କୃତି ବିଭାଗ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଥିବା ପାଠାଗାର ପାଇଁ ବହି ଯୋଗାଇବା ଲାଗି ପ୍ରକାଶକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ଅଭିଯୋଗ । ଏହି ପ୍ରକ୍ରିୟା ପାଇଁ ପ୍ରକାଶକ ଚୟନ କରିବାକୁ ପ୍ରତିଵର୍ଷ ବିଜ୍ଞାପନ ପ୍ରକାଶ କରାଯାଏ । ଯେଉଁ ପ୍ରକାଶକମାନେ ଏଥି ଲାଗି ଆବେଦନ କରନ୍ତି, ସେମାନଙ୍କ ଭିତରୁ ବହିର ମାନ ଓ ମୂଲ୍ୟକୁ ଦେଖି ପ୍ରକାଶକ ଚୟନ କରାଯାଏ । ହେଲେ ଚଳିତ ବର୍ଷ ବିଭାଗୀୟ ଅଧିକାରୀମାନେ କୌଣସି ବିଜ୍ଞାପନ ପ୍ରକାଶ ନକରି ନିଜ ଇଚ୍ଛା ଅନୁସାରେ ୪ଜଣ ପ୍ରକାଶକଙ୍କୁ ବହି ଯୋଗାଇବା ଦାୟିତ୍ବ ଦେଇଛନ୍ତି । ଏମିତିରେ ରାଜ୍ୟର ପ୍ରାୟ ଅଢେଇ ଶହ ପ୍ରକାଶକଙ୍କୁ ଅଣଦେଖା କରାଯାଇ କାହିଁକି ହାତ ଗଣତି ପ୍ରକାଶକଙ୍କୁ ଏହି ସୁଯୋଗ ଦିଆଯାଇଛି ? ବର୍ଷକୁ କୋଡିଏ କୋଟି ଟଙ୍କାର ବହି ସ୍କୁଲ ଲାଇବ୍ରେରୀକୁ ଦିଆଯାଉଥିବା ବେଳେ ଏଭଳି ଅନିୟମିତତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ କୋମଳମତି ପିଲାମାନଙ୍କ ଉଦିଷ୍ଟ ବହି ବଦଳରେ ପ୍ରେମ ଓ ପ୍ରତାରଣା, ନାରୀ ଦର୍ପଣ ଭଳି ଅତ୍ୟନ୍ତ ଅଶ୍ଳୀଳ ପୁସ୍ତକ ସ୍କୁଲ ଲାଇଵ୍ରେରୀକୁ ଦିଆଯାଇଛି ।

ସେପଟେ ଚଳିତ ବର୍ଷ ଚୟନ କରାଯାଇଥିବା ପ୍ରକାଶନ ସଂସ୍ଥାଗୁଡିକ ସମାନ ବହିକୁ ଦେଢଗୁଣା ଅଧିକ ଦାମରେ ପାଠାଗାରକୁ ଯୋଗାଉଛନ୍ତି। ସରକାର ୫ ବର୍ଷରେ ସ୍କୁଲ ଲାଇଵ୍ରେରୀ ପାଇଁ ଶହେ କୋଟି ଟଙ୍କାର ବହି ଯୋଗାଇବାକୁ ଯୋଜନା କରିଛନ୍ତି । ମାତ୍ର କିଛି ଅଧିକାରୀ ଓ କର୍ମଚାରୀ ଏହି ଯୋଜନାକୁ ବାଟବଣା କରିବାକୁ ଉଦ୍ୟମ କରୁଥିବା ଅଧିକାଂଶ ପ୍ରକାଶକ ଅଭିଯୋଗ କରିଛନ୍ତି। ସେପଟେ ଗଣଶିକ୍ଷା ମନ୍ତ୍ରୀ ପ୍ରକାଶକ ଚୟନରେ ହୋଇଥିବା ଅନିୟମିତତାକୁ ଅସ୍ବୀକାର କରିଥିବା ବେଳେ ପୁସ୍ତକ ଚୟନ କାମ ସଂସ୍କୃତି ବିଭାଗର ବୋଲି କହିଛନ୍ତି ।
ସେପଟେ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ଲାଗି ବହି ଯୋଗାଇବାକୁ ହୋଇଥିବା ପ୍ରକାଶକ ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନ୍ୟ କିଛି ପ୍ରକାଶକ ।