ମଙ୍ଗଳ ବିଭାଗର ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

Published By : Prameya-News7 Bureau | October 12, 2019 IST

ରାୟଗଡା ୧୨|୧୦: ରାୟଗଡା ଜିଲ୍ଲାରେ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି କିଛି ଆବେଦନକାରୀ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲାରେ ୧୭୨ଟି ପଦବୀ ପାଇଁ ଗତ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ବିଜ୍ଞପ୍ତିରେ ଆବେଦନକାରୀଙ୍କୁ ଓଏସଏସଟିଇଟି (ଓଡିଶା ବରିଷ୍ଠ ମାଧ୍ୟମିକ ଶିକ୍ଷକ ପରୀକ୍ଷା) ଉତ୍ତୀର୍ଣ୍ଣ ହୋଇଥିବା ଉଲ୍ଲେଖ ରହିଥିଲା । ତେବେ ରାଜ୍ୟର ଅନ୍ୟ ଜିଲ୍ଲା କନ୍ଧମାଳ, କୋରାପୁଟ, ଗଜପତି, ସୁନ୍ଦରଗଡ ଜିଲ୍ଲାରେ ଏହାକୁ କୋହଳ କରାଯାଇଥିଲା । ନିଯୁକ୍ତି ପାଇବାର ୩ ବର୍ଷ ମଧ୍ୟରେ ଓଏସଏସଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଉଲ୍ଲେଖ ରହିଥିବା ଜଣାପଡିଛି । କାରଣ ଗତ ୨୦୧୬ ମସିହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରୀକ୍ଷା ୨୦୧୮ ମସିହା ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା । ଆଉ ୨୦୧୯ ମସିହାରେ ଏହାର ଫଳ ପ୍ରକାଶ ପାଇଥିଲା । ଫଳରେ ଅନେକ ଆବେଦନକାରୀ ୨୦୧୭ ଓ ୧୦୧୮ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ସୁଯୋଗ ପାଇନଥିଲେ । ଏନେଇ ଆବେଦନକାରୀମାନେ ଆପତ୍ତି ଉଠାଇବା ସହ ପୂର୍ବରୁ ନିଜର ଅଭିଯୋଗ ଦାଖଲ କରିଥିଲେ । ଏଭଳିକି ଯେଉଁ ନିଯୁକ୍ତି ପ୍ରକିୟା ହୋଇଛି ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ରଦ୍ଦକରି ପୁନର୍ବାର ନିଯୁକ୍ତି ପ୍ରକ୍ରିୟା କରିବା ନିମନ୍ତେ ଦାବି ଜଣାଇଛନ୍ତି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଳଙ୍କୁ ଆବେଦନକାରୀ ଗାୟତ୍ରୀ ସୁନାନା, ନିକିତା ପାଳ, ରାଧାକାନ୍ତ ରାଉତ, ବାବୁଲା ମଲେକା, ପଲ୍ଲଭି ପାତାକା, ଗିତାଳୀ ନାୟକ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି । ଯଦି ଏହି ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରାନଯାଏ ତେବେ ସେମାନେ ମାନ୍ୟବର ଅଦାଲତଙ୍କ ଦ୍ବାରସ୍ଥ ହେବ ବୋଲି ପ୍ରକାଶ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ବାଳ କହିଛନ୍ତି ଯେ, ସରକାରଙ୍କ ନିୟମ ପ୍ରକାରେ ଚୟନ କମିଟି ଜରିଆରେ ଏହି ନିଯୁକ୍ତି କରାଯାଇଛି । କୌଣସି ପ୍ରକାର ଅନିୟମିତତା ଘଟିନାହିଁ କି ମନ୍ଦ ଉଦ୍ଦେଶ୍ୟ କିଛି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.