ଝାଡଖଣ୍ଡକୁ ଲୁହାପଥର ଚୋରା ଚାଲାଣ ବେଳେ ୬ଟି ଟିପ୍ପର ଜବତ, ଡ୍ରାଇଭର ଫେରାର

Published By : Prameya-News7 Bureau | November 27, 2019 IST

ବଡବିଲ ୨୭।୧୧: ବଡବିଲ ଦେଇ ୬ଟି ଟିପ୍ପରରେ ଝାଡ଼ଖଣ୍ଡକୁ ଲୁହାପଥର ଚୋରାଚାଲାଣ ହେଉଥିବା ବେଳେ ଖବର ପାଇ ବଡ଼ବିଲ ପୋଲିସ ଜବତ କରିଛି । ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁଙ୍କ ନେତୃତ୍ବରେ ଅନ୍ୟ ପୋଲିସ କର୍ମଚାରୀ ଟିପ୍ପରଗୁଡ଼ିକୁ ପିଛାକରି ସୀମାନ୍ତବର୍ତ୍ତୀ ନାଲଦା ନିକଟରେ ଅଟକାଇ ଧରିବାକୁ ସକ୍ଷମ ହୋଇଥିଲେ । ତେବେ ସମସ୍ତ ଟିପ୍ପର ଡ୍ରାଇଭର, ଗାଡ଼ିଗୁଡ଼ିକୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ ।

{"id":190467,"sizeSlug":"large"}

ପୋଲିସର ସୂଚନା ଅନୁଯାୟୀ, ଜବତ ହୋଇଥିବା ଏହି ୬ଟି ଟିପ୍ପର ବାମେବାରୀ ଥାନା ଅଧିନସ୍ଥ ପଟ୍ଟନାୟକ ମିନେରାଲ ଖଣିରୁ ଫାଇବ୍ ଏଇଟିନ୍ (୫/୧୮) ସାଇଜ୍ ଲୁହାପଥର ବୋଝେଇ କରି ଯୋଡ଼।, ବିଆଇଏଲ୍ ରେଳ ସାଇଡିଂ ପାଇଁ ବାହାରିଥିଲା । ତେବେ ଚଂଚକତା କରି ଏହି ଟିପ୍ପର ଗୁଡ଼ିକ ବିଆଇଏଲ୍ ରେଳ ସାଇଡିଂରେ ଅନଲୋଡ୍ ନକରି ସେଠାରେ ରିସିଭ୍ ଦେଖାଇବା ସହ ଏହି ଲୁହାପଥରକୁ ଝାଡ଼ଖଣ୍ଡକୁ ଚୋରା ଚାଲାଣ କରୁଥିଲେ ।  ପ୍ରତ୍ୟେକ ଟିପ୍ପରରେ ୯ ଟନରୁ ଅଧିକ ଓଜନର ଲୁହାପଥର ବୋଝେଇ ହୋଇଥିବା ବେଳେ, ଜବତ ଲୁହାପଥରର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

{"id":190468,"sizeSlug":"large"}

ତେବେ କେଉଁ ପରିବହନ ସଂସ୍ଥା ମାଧ୍ୟମରେ ଖଣିରୁ ଲୁହାପଥର ପରିବହନ କରାଯାଉଥିଲା ଏବଂ ଏଥିରେ ସଂପୃକ୍ତ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କ କିଛି ସଂପୃକ୍ତି ରହିଛି ନା ନାହିଁ ଏବଂ ଆଉ କେଉଁମାନେ ଏହି ଚୋରା କାରବାରରେ ସଂଶ୍ଳିଷ୍ଟ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । ଏନେଇ ବଡ଼ବିଲ ଥାନାରେ କେସ୍ ନଂ ୨୨୫ ତା ୨୬.୧୧.୨୦୧୯ରିଖ, ଦଫା ୩୭୯/୩୮୧/୪୧୧/୪୧୩/୧୨୦(ବି) ଆଇପିସି ଓ ୨୧ ଏମଏମଡିଆର ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ସେପଟେ ଫେରାର ଡ୍ରାଇଭର ଏବଂ ଗାଡ଼ି ମାଲିକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.