ପ୍ରେମ ବିଚ୍ଛେଦକୁ ସହି ନପାରି କୋର୍ଟ ଛାତରୁ ଡେଇଁପଡ଼ିଲା ପ୍ରେମିକା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧: ପ୍ରେମ ପାଇଁ କିଛି ବି କରିପାରେ। ଏମିତି କିଛି ଟାଇଟଲ୍‌ ଫିଲ୍ମରେ ବ୍ୟବହାର ହେଉଥିବା ଦେଖିବାକୁ ମିଳେ। କିନ୍ତୁ ଜଣେ ପ୍ରେମିକା ଏହାକୁ ସତ କରି ଦେଖାଇଛନ୍ତି। ଘର ଲୋକ ପ୍ରେମିକଙ୍କ ପାଖରୁ ଦୂରେଇ ଯିବାକୁ କହିବାରୁ କିଛି ନଭାବି କୋର୍ଟର ଛାତରୁ ତଳକୁ ଢ଼େଇଁପଡ଼ିଲା ପ୍ରେମିକା। ବିଚ୍ଛେଦ ଦୁଃଖକୁ ସହିବା ଅପେକ୍ଷା ମୃତ୍ୟୁ ସହଜ ବୋଲି ଭାବିନେଲା ପ୍ରେମିକା। ଗୋଟିଏ ତାଲା ଉପରୁ ତଳକୁ ଡେଇଁ ପଡ଼ିବାରୁ ଯୁବତୀଙ୍କର ଶରୀରରେ ଅନେକ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ବେଗୁସରାୟରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଝିଅଟି ନିଜ ପ୍ରେମିକଙ୍କ ସହ ଘରୁ ୧୦ ଫେବୃଆରୀ ୨୦୧୯ରେ ପଳାଇଥିଲେ। ପରେ ଦୁଇଜଣ ବିବାହ କରିଥିବା ମଧ୍ୟ ଜଣାପଡ଼ିଛି। ପରେ ଝିଅର ପରିବାର ଲୋକେ ଥାନାରେ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ବହୁ ଖୋଜାଖୋଜି କରିବା ପରେ ପ୍ରେମୀଯୁଗଳଙ୍କୁ ୧୨ ଜାନୁଆରୀ ୨୦୨୧ରେ ପାଇଥିଲା। ପୁଅର ନାଁ ପ୍ରଣବ କୁମାର ହୋଇଥିବା ବେଳେ ଝିଅର ନାଁ ସଂଗ୍ରାମ କୁମାରୀ। ଏମାନେ ଦୁହେଁ କଟରମାଳ ଗାଁର ବୋଲି ଜଣାପଡ଼ିଛି।

ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପରେ ଝିଅଟିର ଡାକ୍ତରୀ ମଇନା କରାଇଥିଲା। ପରେ ସେମାନଙ୍କୁ ବେଗୁସରାୟ କୋର୍ଟରେ ହାଜର କରାଇଥିଲା। କୋର୍ଟରେ ଝିଅର ବାପା-ମା ପ୍ରେମିକ ସହ  ନମିଶିବାକୁ ତାଗିଦ କରିଥିଲେ। ପରିବାର ନା ସ୍ବାମୀ କାହାକୁ ବାଛିବ କିଛି ନବୁଝିପାରି କୋର୍ଟର ଉପରମହଲାରୁ ଡେଇଁପଡ଼ିଲା ପ୍ରେମିକା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.