ମଇଦାନକୁ ଫେରିବେ ଇର୍ଫାନ ପଠାନ, ଲଙ୍କା ପ୍ରିମିୟର ଲିଗ୍‌ରେ କାଣ୍ଡି ଟସ୍କର୍ସ ପକ୍ଷରୁ ଖେଳିବେ

Published By : Prameya-News7 Bureau | November 01, 2020 IST

କଲମ୍ବୋ ୦୧।୧୧: ଭାରତର ପୂର୍ବତନ ଦ୍ରୁତ ବୋଲର ଇର୍ଫାନ ପଠାନ ପଡିଆକୁ ଓହ୍ଲାଇବାକୁ ଯାଉଛନ୍ତି। ଅର୍ଥାତ ବହୁ ଦିନ ପରେ ଏହି ସୁଇଙ୍ଗ ବୋଲରଙ୍କୁ ପଡିଆରେ ବୋଲିଂ କରୁଥିବା ପ୍ରଶଂସକ ଦେଖିବାକୁ ପାଇବେ। ଏହାର ସୂଚନା ଖୋଦ୍ ଇର୍ଫାନ ପଠାନ ଦେଇଛନ୍ତି। ରବିବାର ପଠାନ ଲଙ୍କା ପ୍ରିମିୟର ଲିଗ୍(ଏଲପିଏଲ)ରେ କ୍ୟାଣ୍ଡି ଟସ୍କର୍ସ ଫ୍ରାଞ୍ଚାଇଜି ତରଫରୁ ଖେଳିବେ ବୋଲି କହିଛନ୍ତି। କାଣ୍ଡି ଦଳରେ ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ୍ ଗେଲ, ସ୍ଥାନୀୟ ଖେଳାଳି କୁଶଳ ପେରେରା, କୁଶଲ ମେଣ୍ଡିସ ଓ ନୁଓ୍ଵାନ ପ୍ରଦୀପ ଏବଂ ଇଂଲଣ୍ଡର ଦ୍ରୁତ ବୋଲର ଲିୟାମ ପ୍ଲୁଙ୍କେଟ୍ ମଧ୍ୟ ସାମିଲ।

ଚଳିତ ବର୍ଷ ଆରମ୍ଭରୁ ଇର୍ଫାନ ପଠାନ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ସେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି। ଇର୍ଫାନ କହିଛନ୍ତି, ମୁଁ ଏଲପିଏଲରେ କାଣ୍ଡି ଫ୍ରାଞ୍ଚାଇଜିର ସଦସ୍ୟ ହୋଇ ଉତ୍ସାହିତ ଅଛି। ଆମ ଦଳରେ କିଛି ଦମଦାର ଖେଳାଳି ଅଛନ୍ତି। ଏହି ଲିଗ୍ ଖେଳିବାକୁ ମୁଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ପଠାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ ୩୬ ବର୍ଷୀୟ ଇର୍ଫାନ ପଠାନ ୨୦୧୯ରେ ଶେଷ ଥର ଟି-୨୦ ମ୍ୟାଚ୍ ଖେଳିଥିଲେ। ସଂପ୍ରତି ସେ ଆଇପିଏଲରେ ଭାଷ୍ୟକାର ଦାୟିତ୍ଵ ତୁଲାଉଛନ୍ତି। ଗତ ଗତ ବର୍ଷ ରଣଜୀ ସିଜିନରେ ଜାମ୍ମୁ-କାଶ୍ମୀର ଦଳର ମେଣ୍ଟର ଥିଲେ। ଜାମ୍ମୁ-କାଶ୍ମୀର ଗତ ସିଜିନରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.