ଜାଣନ୍ତୁ- ମୋବାଇଲ ଆପ୍‌ରେ ଚଳନ୍ତା ଟ୍ରେନରେ ଚୋର ଓ ବଦ୍‌ମାସଙ୍କ ବିରୋଧରେ ଦେଇ ପାରିବେ ଏଫଆଇଆର

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ୧୦|୧୦: ଟ୍ରେନରେ ଯାତ୍ରା କରିବା ବେଳେ ଅଧିକାଂଶ ସମୟରେ ଯାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଟ୍ରେନରୁ ଯାତ୍ରୀଙ୍କ ଜିନିଷ ଚୋରି ହେବା ଘଟଣା ନୂଆ ନୁହେଁ ।  ପ୍ରତ୍ୟେକ ଦିନ ଟ୍ରେନରେ ଯାତ୍ରୀଙ୍କ ଜିନିଷ ଚୋରି ହେବା ଘଟଣା ସାମ୍ନାକୁ ଆସିଥାଏ। ଏପରିକି ବିଭିନ୍ନ ସମୟରେ ଦେଖାଯାଏ କି ମହିଳାମାନେ ଅଳଙ୍କାର ପିନ୍ଧି ଟ୍ରେନରେ ଯାତ୍ରା କରିବା ବେଳେ ଚୋର ସେମାନଙ୍କ ସୁନା ଅଳଙ୍କାରକୁ ଚୋରି କରି ଫେରାର ହୋଇଯାଇଥାଏ।

ଏହି କ୍ଷେତ୍ରରେ ଦିଲ୍ଲୀ ଜିଆରପି ଏକ ନୂଆ ପଦକ୍ଷେପ ନେଇଛନ୍ତି। ଟ୍ରେନରେ ଯାତ୍ରା କରିବା ବେଳେ କିଛି ଅସାମାଜିକ ବ୍ୟକ୍ତି ମଧ୍ୟ ମହିଳାଙ୍କୁ ହଇରାଣ କରିଥାନ୍ତି। ଟ୍ରେନରେ ଥିବାରୁ ମହିଳା ନିରୂପାୟ ହୋଇ ଚୁପଚାପ ସବୁ ସହି ଯାଇଥାନ୍ତି। କିନ୍ତୁ ଦିଲ୍ଲୀ ଜିଆରପି ଏକ ବିକଳ୍ପ ଖୋଜି ବାହାର କରିବା ସହ ମୋବାଇଲର ଏକ ଆପ୍‌ ଲଞ୍ଚ କରିଛି। ଏହି ଆପ୍‌ର ନାଁ ହେଉଛି ‘ସହଯାତ୍ରୀ’। ଯେଉଁଥିରେ ଚଳନ୍ତା ଟ୍ରେନରେ ବି ଯାତ୍ରୀମାନେ ଏତଲା ଦେଇ ପାରିବେ।

ଟ୍ରେନ ଯାତ୍ରୀଙ୍କୁ ଏହି ସୁବିଧା କେବଳ ଦିଲ୍ଲୀ ଜିଆରପି ଯୋଗାଇ ଦେବେ। ଏପରିକି ଆପଣ ଯାତ୍ରା କରୁଥିବା ରେଳ ସେବା ସଂପର୍କରେ ବି ଏହି ଆପ୍ ମାଧ୍ୟମରେ ନିଜର ମତାମତ ଦେଇ ପାରିବେ। ପୂରା ଦେଶରେ ଏହି ସୁବିଧା ଯୋଗାଇ ଦେବ ପାଇଁ ଦିଲ୍ଲୀ ଜିଆରପି ଯୋଜନା ଚଳାଇଛନ୍ତି। ଏହା ଦ୍ବାରା ସବୁ ରାଜ୍ୟରେ ନିଜ ଅଞ୍ଚଳର ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀଙ୍କ ଫଟୋ ସହଯାତ୍ରୀ ଆପ୍‌ରେ ଶେୟାର କରି ପାରିବେ। ଯାହାଫଳରେ ଅତି ସହଜରେ ଟ୍ରେନ ଲୁଟେରାଙ୍କୁ ଗିରଫ କରାଯାଇ ପାରେ।

ଦିଲ୍ଲୀ ଜିଆରପିର ଡିସିପି ଦିନେଶ ଗୁପ୍ତା କହିଛନ୍ତି ଯେ ଅକ୍ଟୋବର ୧୦ ତାରିଖ ଅର୍ଥାତ ଆଜି ସହଯାତ୍ରୀ ଆପ୍‌ ଏବଂ WWW.railwaysdelhipolice.gov.in ଓ୍ବେବସାଇଟ୍ ଲଞ୍ଚ ହୋଇଛି। ଟ୍ରେନରେ ଯାତ୍ରା କରିବା ବେଳେ ଆପଣଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଚଳନ୍ତା ଟ୍ରେନରେ ଏତଲା ଦେଇପାରିବେ। ଏହି ଆପ୍‌ ମହିଳାଙ୍କ ସହ ରେଳଯାତ୍ରା କରୁଥିବା ଲୋକଙ୍କୁ ବିଶେଷ ଭାବେ ସହାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.