ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା, ଗିରଫ ପରୱାନା ଜାରି
7/01/2021 at 9:31 PM

ବଗଦାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଳକୁ ବେଳ ସମସ୍ୟାରେ ଛନ୍ଦି ହେବାରେ ଲାଗିଛନ୍ତି। ଆମେରିକା କ୍ୟାପିଟଲ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାର ଚର୍ଚ୍ଚା ନ ଥମୁଣୁ ଇରାକର ଏକ କୋର୍ଟ ଟ୍ରମ୍ପଙ୍କ ଗିରଫ ଲାଗି ୱାରେଣ୍ଟ ଜାରି କରିଥିବା ଜଣାପଡିଛି। ଗତବର୍ଷ ଇରାନୀ ଜେନେରାଲ ତଥା ପ୍ରଭାବଶାଳୀ ମିଲିସିଆ ନେତାଙ୍କ ହତ୍ୟା ମାମଲାରେ ବଗଦାଦ ଯା଼ଞ୍ଚ ଅଦାଲତ ଗୁରୁବାର ଏହି ୱାରେଣ୍ଟ ଜାରି କରିଥିବା ଜଣାପଡିଛି।

କୋର୍ଟଙ୍କ ମିଡିଆ କାର୍ଯ୍ୟାଳୟ ଏ ନେଇ ସୂଚନା ଦେଇଥିବା ବେଳେ ଗତବର୍ଷ ଆମେରିକା ଡ୍ରୋନ ଆକ୍ରମଣରେ ଇରାନ ଜେନେରାଲ କାସିମ ସୁଲେମାନୀ ଓ ଅବୁ ମହାଦି ଅଲ ମୁହନ୍ଦିସ୍ ଙ୍କୁ ହତ୍ୟା କରାଯାଇଥିଲା। ସୁଲେମାନୀ ଓ ମୁହନ୍ଦିଶଙ୍କୁ ଗତବର୍ଷ, ଜାନୁୟାରୀ ମାସରେ ବଗଦାଦ ବିମାନ ବନ୍ଦର ନିକଟରେ ଟାର୍ଗେଟ କରାଯାଇଥିଲା। ଫଳରେ ଆମେରିକା ଓ ଇରାକ ମଧ୍ୟରେ ରାଜନୈତିକ ସଂକଟ ଉପୁଜିଥିବା ବେଳେ ସମ୍ପର୍କରେ ଫାଟ ପଡିଥିଲା। ମାମଲାରେ ଇରାକୀ କୋର୍ଟ ଏବେ ହତ୍ୟା ଅଭିଯୋଗରେ ୱାରେଣ୍ଟ ଜାରି କରିଛି।

ସୁପ୍ରିମ ଜୁଡିସିଆଲ କାଉନସିଲଏକ ବୟାନରେ ମୁହନ୍ଦିସ୍ ପରିବାର ଲୋକଙ୍କ ବୟାନ ରେକର୍ଡ ପରେ ନ୍ୟାୟଳୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ହତ୍ୟା ମାମଲାର ଆଗାମୀ ଯାଞ୍ଚ ଜାରି ରହିଛି। ତେବେ ଗତବର୍ଷର ଏହି ହତ୍ୟାକାଣ୍ଡ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବୟାନ ଜାରି କରିଥିଲା। ଯେଉଁଥିରେ ଇରାନୀ ଜେନେରାଲ ସୁଲେମାନୀ ଇରାକରେ ଆମେରିକୀୟ କୁଟନୈତିକ ଓ ସୈନ୍ୟ ଅଧିକାରୀଙ୍କ ହତ୍ୟା ଲାଗି ଷଡଯନ୍ତ୍ର କରୁଥିବାର କୁହାଯାଇଥିଲା।