ସୈନ୍ୟ ଅଭ୍ୟାସ୍ ସମୟରେ ଜାହାଜ 'କୋଣାର୍କ' ଉପରେ ଖସି ପଡିଲା କ୍ଷେପଣାସ୍ତ୍ର, ୧୯ ସୈନିକ ମୃତ୍ୟୁ

Published By : Prameya-News7 Bureau | May 11, 2020 IST

ତେହେରାନ ୧୧।୦୫: ଓମାନ ସାଗରରେ ସୈନ୍ୟ ଅଭ୍ୟାସ୍ ସମୟରେ ଇରାନୀ ନୌସେନାର ଯୁଦ୍ଧ ଜାହାଜ ଉପରେ ଦୁର୍ଘଟଣାବଶତଃ ନିଜର ଏକ କ୍ଷେପଣାସ୍ତ୍ର ଖସି ପଡିବାରୁ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ୧୫ ସୈନିକ ଆହତ ହୋଇଛନ୍ତି। ଇରାନ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରୀ ଟେଲିଭିଜନର ଖବର ଅନୁଯାୟୀ ଘଟଣା ରବିବାର ଜସକ ବନ୍ଦର ନିକଟରେ ଘଟିଛି। ସୈନ୍ୟ ଅଭ୍ୟାସ୍ ସମୟରେ କ୍ଷେପଣାସ୍ତ୍ର ହେଣ୍ଡିଜନ-କ୍ଲାସ୍‌ ସପୋଟ୍ ଯୁଦ୍ଧ ଜାହାଜ କୋଣାର୍କ ଉପରେ ଖସି ପଡିଛି।

ସରକାରୀ ସମାଚାର ଏଜେନ୍ସି ‘ଆରଏନଏ’ର ଖବର ଅନୁଯାୟୀ ସ୍ଥାନୀୟ ହସ୍ପିଟାଲରେ ୧୨ ସୈନିକଙ୍କୁ ଭର୍ତ୍ତି କରାଯାଇଛି। ବାକି ତିନି ଜଣ ସୈନ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସରକାରୀ ଟେଲିଭିଜନ୍ ଅନୁଯାୟୀ କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ଜାହାଜ କୋଣାର୍କ ଟାର୍ଗେଟ୍ ନିକଟରେ ରହିଥିଲା। କୋଣାର୍କ ଅନ୍ୟ ଜାହାଜ ଲାଗି ସମୁଦ୍ରରେ ଟାର୍ଗେଟ୍ ସ୍ଥାପନ କରୁଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ କୋଣାର୍କ ଉପରେ ଖସି ପଡିଥିଲା।  

ହଲାଣ୍ଡରୁ ୧୯୮୮ରେ କିଣିବା ପରେ ଇରାନୀ ନୈାସେନା ଏହି ଜାହାଜକୁ ୨୦୧୮ରେ ନବୀକରଣ କରିଥିଲେ। ଏହି ଜାହାଜର ଲମ୍ବ ୪୭ ମିଟର। ଏଥିରେ ୨୦ ନାବିକ ଦଳ ଥିଲେ। ଇରାନ ଏହି ଜାହାଜକୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ଲାଗି ବ୍ୟବହାର କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.