ମୋହସେନଙ୍କ ହତ୍ୟା ପାଇଁ ଇସ୍ରାଏଲକୁ ଦାୟୀ କଲା ଇରାନ, ପ୍ରତିଶୋଧ ନେବ ବୋଲି ଦେଲା ଧମକ, ଏବେ ଦୁଇ ଦେଶ ମୁହାଁମୁହିଁ
28/11/2020 at 12:05 PM

ନୂଆଦିଲ୍ଲୀ, ୨୮|୧୧: ଇରାନ ଆଣବିକ କାର୍ଯ୍ୟକ୍ରମର ଶୀର୍ଷ ବୈଜ୍ଞାନିକ ମୋହସେନ ଫକିରଜ୍ୟାଦାଙ୍କୁ ହତ୍ୟା କରାଯାଇଛି। ଇରାନର ସରକାରୀ ଟେଲିଭିଜନ ଏହି ଦାବି କରୁଛି। ରାଜଧାନୀ ତେହେରାନ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଏହା ପଛରେ ଇସ୍ରାଏଲର ହାତ ଥିବା ଦାବି କରିଛି ଇରାନ ।
କିଛିବର୍ଷ ପୂର୍ବେ ଇରାନ ଆଣବିକ ଗବେଷଣାର ଜନୈକ ବରିଷ୍ଠ ବୈଜ୍ଞାନିକ ମୁସ୍ତାଫା ଅହମ୍ମଦ ରୋସନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ମୋହସୀନଙ୍କ ହତ୍ୟା ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୫୯ ବର୍ଷୀୟ ମୋହସେନ କାରରେ ଅବସାର୍ଦ ସହରକୁ ଯିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।
୨୦୦୮ରେ ଆମେରିକା ମୋହସେନଙ୍କୁ ଇରାନର ନ୍ୟୁକ୍ଲିଅର ଶକ୍ତିର ଜନକ ବୋଲି କହିଥିଲେ । ଏହାସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ସମାନ କଥା କହିଥିଲେ । ମୋହସେନଙ୍କ ହତ୍ୟା ଘଟଣା ପରେ ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ୍ କହିଛନ୍ତି ଯେ, ହତ୍ୟାକାଣ୍ଡ ପଛରେ ଇସ୍ରାଏଲର ହାତ ରହିଛି । ଆତଙ୍କବାଦୀମାନେ ଜଣେ ବିଶିଷ୍, ବୈଜ୍ଞାନିକଙ୍କୁ ହତ୍ୟା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଘଟଣାକୁ ନିନ୍ଦା କରାଯାଉ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହି ସମସ୍ତ ଅଭିଯୋଗକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି ।
ଏତତ୍ ବ୍ୟତୀତ ଇରାନର ପ୍ରତିରକ୍ଷା ପରାମର୍ଶଦାତା ହୋସେନ୍ ଦେହଘାନ ମଧ୍ୟ ଏହି ଘଟଣା ପଛରେ ଇସ୍ରାଏଲର ହାତ ଥିବା କହିଛନ୍ତି । ଇସ୍ରାଏଲ ଜାଣିଶୁଣି ଯୁଦ୍ଧ ଚାହୁଁଛି । ହତ୍ୟକାରୀକୁ ନିପାତ କରାଯିବ ବୋଲି କହିଛନ୍ତି ହୋସେନ୍ ।
ଇରାନରେ ଗତ ୨ ବର୍ଷରେ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁର ଏହା ଷଷ୍ଠ ଘଟଣା। ତେବେ ଫକିରଜ୍ୟାଦାଙ୍କ ମୃତ୍ୟୁ ପରେ ଇରାନର ଲୋକେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏପରିକି ଇରାନୀ ମନ୍ତ୍ରୀମାନେ ହତ୍ୟାପଛରେ ଆମେରିକାର ହାତ ଥାଇପାରେ ବୋଲି କହିଛନ୍ତି ।