ନାହିଁ ଟଙ୍କା, ନାହିଁ ଖାଦ୍ୟ, ନାହାନ୍ତି ପରିଚିତ : ସହାୟତା ପାଇଁ ଇରାନ୍‌ରେ ଫସିଥିବା ଭାରତୀୟଙ୍କ ଆକୁଳ ନିବେଦନ , ତୀର୍ଥଯାତ୍ରାରେ ଯାଇ ଅଟକିଛନ୍ତି ହଜାରେରୁ ବେଶି

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: ସାରା ବିଶ୍ବରେ ଏବେ କରୋନା ଭୟ । ଦେଶରେ ମଧ୍ୟ ଚାଞ୍ଚଲ୍ୟ ଖେଳାଇଛି କରୋନା । ଏମିତିରେ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ଫଳରେ ବାହାର ଦେଶରେ ଫସିଛନ୍ତି ଅନେକ । କେତେକଙ୍କୁ ଦେଶକୁ ଫେରାଇ ଅଣାଯାଇଥିବା ବେଳେ ଆଉ ଅନେକ ବିଭିନ୍ନ ଦେଶରେ ଫସି ରହିଥିବା ମଧ୍ୟ ସୂଚନା ମିଳୁଛି । ଭାସ୍କରର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ୨୨ ବର୍ଷ ବୟସ୍କ ଯୁବକଙ୍କ ସହିତ ୪ ଜଣ ବାଳକ ଇରାନର କ୍ୟୋମ ସିଟିରେ ଫସି ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ସେମାନେ ଫେବୃଆରୀ ୨୦ ତାରିଖରେ ୧୪ଜଣ ମିଶି ଦିଲ୍ଲୀରୁ ଇରାନକୁ ତୀର୍ଥଯାତ୍ରା ପାଇଁ ଯାଇଥିଲେ । ସେମାନଙ୍କ ଭଳି ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫୦୦ ଲୋକ ସେଟାରେ ପହଞ୍ଚିଥିଲେ । ସେଥିମଧ୍ୟରୁ ୧୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଇରାନରେ ପ୍ରାୟ ୨୫୦ ଭାରତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫସିଥିବା ୨୨ ବର୍ଷ ବୟସ୍କ ଯୁବକ କହିଛନ୍ତି ସେମାନେ ସେଠାରେ ଫସିଛନ୍ତି । ସେଠାକାର ପରିସ୍ଥିତି ସେମାନଙ୍କୁ ପ୍ରତିଦିନ ଡରାଉଛି । ଯଦି ସାହାଯ୍ୟ ନମିଳେ ତେବେ ସେମାନେ ସେଠାରେ ମରିଯିବେ । ସେ କହିଛନ୍ତି ଯେ ଫେବୃଆରୀ ୨୨ତାରିଖରେ କରୋନା ବ୍ୟାପିବା ନେଇ କ୍ୟୋମରେ ହଇଚଇ ସୃଷ୍ଟି ହୋଇଥିଲା । ସେମାନେ ସେଠାରୁ ଅନ୍ୟ ଏକ ସହରକୁ ଚାଲିଯାଇଥିଲେ । ଏହି ସମୟରେ ଜଣାପଡିଲା ଯେ, ଭାରତୀୟ ଦୂତାବାସ ପରୀକ୍ଷା କରି ତୀର୍ଥଯାତ୍ରୀମାନଙ୍କୁ ଭାରତ ପଠାଉଛି । ସେମାନେ କ୍ୟୋମକୁ ଫେରିଥିଲେ । କିନ୍ତୁ ସେଠାରେ ପରୀକ୍ଷା କରିବାର କୌଣସି ବ୍ୟବସ୍ଥା ନଥିବାରୁ ସେମାନ ତେହେରାନ ଦୂତାବାସକୁ ଯାଇଥିଲେ । ସେଠାରେ ପରୀକ୍ଷା କରାଗଲା । ୧୦ ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ୪ଜଣଙ୍କ ରିପୋର୍ଟ ପଜିଟିଭ ଥିଲା ।

ସେମାନଙ୍କ ଗ୍ରୁପ୍ ର ୧୦ଜଣ ଜୈସଲମେରରେ ପହଞ୍ଚିଯାଇଛନ୍ତି । କିନ୍ତୁ ୪ଜଣ ସେଠାରେ ଗୋଟିଏ କୋଠରୀରେ ବନ୍ଦୀ ହୋଇ ରହିଛନ୍ତି । ସେଠାରେ କୌଣସି ଚିକିତ୍ସା ସୁବିଧା ନାହିଁ । ସେଠାକୁ ପଢିବାକୁ ଯାଇଥିବା କିଛି ଭାରତୀୟ ଛାତ୍ରମାନଙ୍କ ଅବସ୍ଥା ସେହିଭଳି ବୋଲି ଯୁବକ ଜଣଙ୍କ ପ୍ରକାଶ କରିଛନ୍ତି । ଅଲ ମୁସ୍ତଫା ଇଣ୍ଟରନ୍ୟାସନାଲ ୟୁନିଭରସିଟିରେ ଇସଲାମିକ୍ ପଢୁଥିବା ଜଣେ ଛାତ୍ର କହିଛନ୍ତି ଯେ, ଆମେ ସମସ୍ତେ ଭାରତକୁ ଫେରିବାକୁ ଚାହୁଁଛୁ । ଏଥିପାଇଁ ଆମେ ଲଗାତର ଭାରତୀୟ ଦୂତାବାସକୁ ସାହାଯ୍ୟ ପାଇଁ ଅନୁରୋଧ କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.