ସିଆଇଏ ଏଜେଣ୍ଟକୁ ଫାଶୀ ଦେବ ଇରାନ: କମାଣ୍ଡର ସୋଲେମାନୀ ହତ୍ୟାରେ ଥିଲା ସଂପୃକ୍ତି,ବଢିପାରେ ଅଲ୍ଲୀ ଖାମେନୀଙ୍କ ସହ ଟ୍ରମ୍ପଙ୍କ ବିବାଦ

Published By : Prameya-News7 Bureau | June 09, 2020 IST

ନ୍ୟୁୟର୍କ, ୦୯|୦୬:   ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏର ଅଜେଣ୍ଟକୁ ଫାଶୀ ଦେବ ଇରାନ । ଆମେରିକାକୁ ଟପ୍ କମାଣ୍ଡର କ୍ୱାସିମ୍ ସୋଲେମାନୀ ବାବଦରେ ସୂଚନା ଦେଇଥିବା ଏଜେଣ୍ଟଙ୍କ ଜୀବନ ଏବେ ବିପଦରେ । ଏହି ଏଜେଣ୍ଟଙ୍କୁ ଅତିଶୀଘ୍ର ମୃତ୍ୟୁଦଣ୍ଡ ମିଳିବ । ଇରାନ କୋର୍ଟ ମଙ୍ଗଳବାର ମଧ୍ୟ ଏହି ନିର୍ଦ୍ଦେଶ ଦେଇ ସାରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୁଣି ଆମେରିକା ଓ ଇରାନ ମୁହାଁମୁହିଁ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଗତ ଜାନୁଆରୀ ୩ ତାରିଖରେ ଇରାକରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ସୋଲେମାନୀ ନିହତ ହୋଇଥିଲା । ସୋଲେମାନୀ ଆମେରିକା ସମେତ ବିଶ୍ୱର ଅନେକ ଦେଶ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚିଥିବା ୟୁଏସ୍ କହିଥିଲା । ସୋଲେମାନୀ ବାବଦରେ କିଏ ଖବର ଦେଇଥିଲା ସେନେି ଇରାନ ଖୋଳତାଡ ଆରମ୍ଭ କରିଥିଲା ।

ଇରାନ ସେନା ଏହି ମାମଲାରେ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏର ଜଣେ ଏଜେଣ୍ଟ ତଥା ଇରାନୀ ନାଗରିକ ମହମ୍ମଦ ମୌସଭୀ ମାଜଦକୁ ଗିରଫ କରିଥିଲା । ଇରାନ କୋର୍ଟ ମହମ୍ମଦକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମହମ୍ମଦ ଆମେରିକାକୁ ସୋଲେମାନୀର ବାସସ୍ଥାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ।

ସୋଲେମାନୀର ମୃତ୍ୟୁ ପରେ ଆମେରିକା  ଓ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଉଭୟ ଦେଶମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ଏପରିକି ଇରାନ ଆମେରିକାର ସେନା ବେସ୍‌ରେ ରକେଟ୍ ଲଞ୍ଚର୍ ମାଡ ମଧ୍ୟ କରିଥିଲା । ଇରାନ ଏହାର ପ୍ରତିଶୋଧ ନେବ ବୋଲି ଆମେରିକାକୁ ଧମକ ଦେଇଥିଲା । ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଯୁଦ୍ଧ ଚାହେଁନାହିଁ କହିବା ସହ ଇରାନକୁ ସୁଧୁରିବା ପାଇଁ ଚେତାବନୀ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.