ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି, ଏହି ମାମଲାରେ ଫସିଥିଲେ ଅଧିକାରୀ

Published By : Prameya-News7 Bureau | December 08, 2020 IST

ଭୁବନେଶ୍ଵର ୦୮।୧୨: ତଥାକଥିତ ଆତ୍ମ ଘୋଷିତ ବାବା ସାରଥୀ କେସ୍‌ରେ ଚର୍ଚ୍ଚାର ପରିଧିକୁ ଆସିଥିବା ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ଆଶ୍ଵସ୍ତି ମିଳିଛି। ହାଇକୋର୍ଟରୁ ତାଙ୍କୁ ଏହି ଆଶ୍ଵସ୍ତି ମିଳିଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ପଦନ୍ନୋତି ସହ ସମସ୍ତ ସୁବିଧା ସୁଯୋଗ ଦେବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରିରେ ଏସପି ଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ନକ୍ସଲ ଅପରେସନ ପୁରସ୍କାର ରାଶିକୁ ନେଇ ବିବାଦ ହୋଇଥିଲା।

ସୂଚନାଯୋଗ୍ୟ, ୨୦୦୭ ଅଗଷ୍ଟ ୨୭ରେ ଜଣେ କୁଖ୍ୟାତ ମାଓବାଦୀ ମାଲକାନଗିରିରୁ ଧରା ପଡିଥିଲା। ସେହି ସମୟରେ  ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଚରମରେ ରହିଥିଲା। ମାଓବାଦୀଙ୍କ ବିରୋଧୀ ଅଭିଯାନରେ ସୂଚନା ଦାତାଙ୍କୁ ପୁରସ୍କାର ଦେବା ପାଇଁ ୩, ୫୫, ୦୦୦ ଟଙ୍କା ଘୋଷଣା କରାଯାଇଥିଲା। ହେଲେ ପୁରସ୍କାର ବାବଦରେ କେବଳ ୧,୫୫,୦୦୦ ଟଙ୍କା ଦିଆଯାଇଥିଲା। ବାକି ଟଙ୍କାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏନେଇ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କଠାରେ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ତଦନ୍ତ କରାଯାଇ ଏହାର ରିପୋର୍ଟ ଡିଜିପି ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା।                                    

ସୂଚନାଯୋଗ୍ୟ ଚଳିତ ବର୍ଷ ୨୦୦୨ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ସିଟି ଆଧାରିତ ସହରୀ ପୋଲିସ୍ ଏବଂ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସପାଲ୍ ଭାବରେ ନିଯୁକ୍ତ କରାଯାଇଥିଲା। ହେଲେ ତାଙ୍କ ବ୍ୟାଚର ଅନ୍ୟ ୩ ଆଇପିଏସ୍ ଅଧିକାରୀ ଆଇଜି ପଦବୀକୁ ଉନ୍ନୀତ ହୋଇଥିବାବେଳେ ଗଜଭିୟେଙ୍କୁ ପଦୋନ୍ନତି ଦିଆଯାଇନଥିଲା। ସେ ପୂର୍ବବତ୍ତ ଏସପି ରାଙ୍କରେ  ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.