ବାପା ଅଟୋ ଡ୍ରାଇଭର, ପଡୋଶୀ କରୁଥିଲେ ଅସମ୍ମାନ, ପୁଅ ହେଲେ ଆଇପିଏସ ଅଫିସର...

Published By : Prameya-News7 Bureau | March 02, 2020 IST

ଜୟପୁର, ୦୨ ମାର୍ଚ୍ଚ:  ସଫଳତା ପାଇଁ କଠିନ ପରିଶ୍ରମ ଜରୁରୀ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିଜ ଲକ୍ଷ୍ୟ.ପଥରେ ସ୍ଥିର ରହିଲେ ସଫଳତା ଆପେଆପେ ଆସିଥାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରେମ ଶୁଖ ଡେଲୁ। ରାଜସ୍ଥାନର ବିକାନେରରୁ ଏକ ଯୌଥ ପରିବାରରୁ ଆସିଥିବା ପ୍ରେମଶୁଖ୍ ଏବେ ଗୁଜୁରାତ କ୍ୟାଡରର ଆଇପିଏସ ଅଫିସର। ସେ ୨୦୧୫ ମସିହା ଆଇପିଏସ ପରୀକ୍ଷାରେ ୧୭୦ ରାଙ୍କ ହାସଲ କରିଥିଲେ। ସବୁଠାରୁ ବଡ କଥା ସେ ହିନ୍ଦୀ ଭାଷାରେ ପରୀକ୍ଷା ଦେଇଥିଲେ। ଏହାସହ ହିନ୍ଦୀ ମିଡିୟମରେ ସେ ସାରା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

{"id":231824,"width":756,"height":909,"sizeSlug":"large"}

ନିଜ ସଫଳତା ବାବଦରେ ସେ କହିଛନ୍ତି ଯେ, ସେ ଓ ତାଙ୍କ ଭାଇ-ଉଭଣୀଙ୍କ ବ୍ୟତୀତ ପୂର୍ବରୁ ପରିବାରରେ କେହି ସ୍କୁଲ ଯାଇନଥିଲେ। ତାଙ୍କ ପରିବାରର ଜାଗାବାଡି କିଛି ନଥିଲା। ପିତା ଅଟୋ ଚଲାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଘରର ଆର୍ଥିକ ଅବସ୍ଥା ଦୁର୍ବଳ ଥିଲା। ପିଲାଦିନେ ସେ ଗାଁ ସ୍କୁଲରୁ ପାଠ ପଢିବା ପରେ ବିକାନୀର ରାଜକୀୟ କଲେଜରେ ଇତିହାସରେ ଏମଏ କରିଥିଲେ। ଏହି ବିଷୟରେ ସେ ଟପର ହୋଇ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଥିଲେ। ପିଲା ଦିନୁ ସେ ଭଲ ମାର୍କ ରଖୁଥିଲେ। ବଡ ହୋଇ ପରିବାରକୁ କିପରି ଭଲ ଭାବେ ଚଳାଇପାରିବେ ତାହା ହିଁ ତାଙ୍କର ଲକ୍ଷ୍ୟ ଥିଲା। ୨୦୧୦ରେ ଏକ ସରକାରୀ ଚାକିରୀରେ ସେ ଯୋଗ ଦେଇଥିଲେ। ଏପରିକି ସେ ୯ଟି ସରକାରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ସେ ଆସିଷ୍ଟାଣ୍ଟ ଜେଲର ପରୀକ୍ଷାରେ ସାରା ରାଜସ୍ଥାନରେ ପ୍ରଥମ ହୋଇଥିଲେ।

{"id":231826,"width":751,"height":666,"sizeSlug":"large"}

କେବଳ ଜେଲର ନୁହେଁ ସେ ସବ୍ ଇନସପେକ୍ଟର ପରୀକ୍ଷାରେ ମଧ୍ୟ ପାସ୍ କରିଥିଲେ। କିନ୍ତୁ ତାଙ୍କ ମନରେ ସିଭିଲ ସର୍ଭିସ୍ ପରୀକ୍ଷା ପାସ୍ କରିବା ପାଇଁ ଲକ୍ଷ୍ୟ ରହିଥିଲା। ସେତେବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପଡୋଶୀ ଭଲ ବ୍ୟବହାର ପ୍ରଦର୍ଶନ କରୁନଥିଲେ। ପରିବାରର ସମ୍ମାନ ପାଇଁ କିଛି ବଡ କରିବାକୁ ହେବ ବୋଲି ପିଲାଦିନୁ ସେ ଭାବିନେଇଥିଲେ। କାଳକ୍ରମେ ସେ ରାଜସ୍ଥାନ ସିଭିଲ ସର୍ଭିସ ପରୀକ୍ଷା ଦେଇ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ. ଏହି ସମୟରେ ହିଁ ସେ ୟୁପିଏସସି ପାସ କରିଥିଲେ। ସେ ନିଜେ ନୋଟ କରି ଟାଇମ୍ ମ୍ୟାନେଜମେଣ୍ଟକୁ ଫୋକସ କରୁଥିବା କହିଛନ୍ତି। ଯାହା ତାଙ୍କୁ ୟୁପିଏସସିରେ ସଫଳତା ଦେଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.