Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ ବର୍ଷର କ୍ୟାରିଅରରେ ୪୧ ଥର ଟ୍ରାନ୍ସଫର ହୋଇଛନ୍ତି ଲେଡି ଦବଙ୍ଗ: ବଡ ବଡ ନେତା ବି ତାଙ୍କୁ ଦେଖି ହୁଅନ୍ତି ଥରହର

27/08/2020 at 4:31 PM

ନୂଆଦିଲ୍ଲୀ ୨୭/୦୮ : ଆମ ସମାଜରେ ମହିଳାମାନଙ୍କୁ ସବୁବେଳେ ଦୁର୍ବଳ ଭାବେ ଗ୍ରହଣ କରାଯାଇଥାଏ | ଏପରିକି ପୋଲିସ ଲାଇନରେ ଥିବା ମହିଳାମାନଙ୍କୁ ମଧ୍ୟ ବଡ ବଡ ନେତା ଓ ଗୁଣ୍ଡାମାନଙ୍କ ସହ ମନାନ୍ତର ନ କରି ତାଙ୍କ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ | କିନ୍ତୁ ଆମର ଏହି ସମାଜରେ ଏମିତି ଜଣେ ମହିଳା ପୋଲିସ ଅଫିସର ଅଛନ୍ତି ଯିଏ କାହାକୁ ଭୟ ନ କରି କେବଳ ନିଜ ଡ୍ୟୁଟି କରନ୍ତି | ଏହି ମହିଳା ପୋଲିସ ଅଫିସର ହେଉଛନ୍ତି ଲେଡି ଦବଙ୍ଗ ଡି.ରୁପା ମୋୖଦଗିଲ | ୨୦ ବର୍ଷ କ୍ୟାରିଅରରେ ତାଙ୍କୁ ୪୧ ଥର ଟ୍ରାନ୍ସଫର କରାଯାଇଛି | କିନ୍ତୁ ତଥାପି ସେ ନିଜ କର୍ତ୍ତବ୍ୟରୁ କେବେ ପଛକୁ ହଟିନଥିଲେ | ବଡ ବଡ ଦୁର୍ନୀତିଗ୍ରସ୍ତ ନେତା ମଧ୍ୟ ଏହି ଲେଡି ଦବଙ୍ଗଙ୍କୁ ଭୟ କରନ୍ତି |

କର୍ଣ୍ଣାଟକର ପ୍ରଥମ ମହିଳା ଆଇପିଏସ ଅଧିକାରୀ ଡି.ରୁପା ମୋୖଦଗିଲଙ୍କୁ ଏବେ ଗୃହ ସଚିବ ପଦବୀରେ ନିଯୁକ୍ତି କରାଯାଇଛି | ଗୃହ ସଚିବ ପଦବୀ ସମ୍ଭାଳିବାର ସେ ପ୍ରଥମ ମହିଳା | ୨୦୦୦ ବ୍ୟାଚର ରୁପା ଖୁବ ଶୀଘ୍ର ବେଙ୍ଗାଲୁରୁ ଆଇଜିପି ପିସିଏଏସରେ ନିଜ ପଦବୀ ସମ୍ଭାଳିବେ | ଏକ ସାଧାରଣ ପରିବାର ଜନ୍ମ ଗ୍ରହଣ କରିଛନ୍ତି ଡି.ରୁପା | ତାଙ୍କ ପିତା ସବୁବେଳେ ଚାହୁଁଥିଲେ ଯେ ତାଙ୍କ ଝିଅ ଦେଶ ସେବା କରୁ | ସେଥିପାଇଁ ସେ ଝିଅର ପଥ ପଢାରେ କୌଣସି କମି କରିନଥିଲେ | ରୁପାଙ୍କୁ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା ସେବେଠାରୁ ତାଙ୍କ ପିତା ତାଙ୍କୁ ସମାଜ ସେବା ଓ ଦେଶ ସେବା କରିବା ପାଇଁ ଶିକ୍ଷା ଦେଉଥିଲେ | ତାଙ୍କ ପିତା ଦୂର ସଞ୍ଚାର ବିଭାଗ ଇଞ୍ଜିନିୟର ଓ ମାତା ଡାକ ବିଭାଗରେ ଚାକିରୀ କରୁଥିଲେ | ରୁପାଙ୍କ ସାନ ଭଉଣୀ ଆଇଆରଏସ ପୋଷ୍ଟରେ କାର୍ଯ୍ୟରତ |

ରୁପା କାହାକୁ ଭୟ କରନ୍ତି | ସତ ପଥରେ ଚାଲି ସେ ଅନେକ ଦୁର୍ନୀତିଗ୍ରସ୍ତଙ୍କୁ ଧୂଳି ଚଟାଇଛନ୍ତି | ଗୁଣ୍ଡାମାନଙ୍କୁ ଧରିବା ସହ ସେ ନେତାମାନଙ୍କ ପୋଲ ମଧ୍ୟ ଖୋଲିଛନ୍ତି | ୨୦ ବର୍ଷର କ୍ୟାରିଅରରେ ସେ ୪୦ରୁ ଅଧିକ ଥର ଟ୍ରାନ୍ସଫର ହୋଇଛନ୍ତି | ୨୦୧୭ ମସିହାରେ ଧାର୍ମିକ ଦଙ୍ଗା ମାମଲାରେ ବିଜେପିର ବର୍ତ୍ତମାନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉମା ଭାରତୀଙ୍କୁ ଗିରଫ କରିବାକୁ ମଧ୍ୟ ପହଞ୍ଚି ଯାଇଥିଲେ | କିନ୍ତୁ ସେ ପହଂଚିବା ପୂର୍ବରୁ ଉମା ଭାରତୀ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ |

ରୁପା ପିଲାଦିନୁ ମେଧାବୀ ଛାତ୍ରୀ ଥିଲେ | ଭାରତରେ ୪୩ ରେଙ୍କରେ ଆଇପିଏସ ପରୀକ୍ଷା ପାସ କରିଥିଲେ | ସେ ଭାରତ ନାଟ୍ୟମ ଡ୍ୟାନ୍ସର, ସଂଗୀତକାର ଓ ଶାର୍ପ ସୁଟର ମଧ୍ୟ | ଆଇପିଏସ ଟ୍ରେନିଂ ସମୟରେ ସେ ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି | ରୁପାଙ୍କ ସ୍ୱାମୀ ମୁନିସ ଜଣେ ଆଇଏଏସ ଅଫିସର |

ରୁପା କହିଛନ୍ତି ଟ୍ରାନ୍ସଫରକୁ ନେଇ ସେ କେବେବି ଚିନ୍ତିତ ନୁହନ୍ତି | ନିଜ ସ୍ବପ୍ନ ସାକାର କରିବାକ ଆମକୁ ସବୁବେଳେ ସେହି ସ୍ବପ୍ନ ପଛରେ ଦୌଡିବାକୁ ପଡିଥାଏ ବୋଲି ସେ କହିଛନ୍ତି | ପୁରୁଷ ପ୍ରଧାନ ସମାଜର ଚିନ୍ତାଧାରାକୁ ମହିଳାମାନଙ୍କୁ ହିଁ ବଦଳାଇବାକୁ ପଡିବ ବୋଲି ସେ କହିଛନ୍ତି | ମନର କଥା ପ୍ରକାଶ କରିବାକୁ କ୍ଷମତା ଯୋଗ୍ୟତା ଓ ସାହସରୁ ଆସିଥାଏ ବୋଲି ରୁପା କହିଛନ୍ତି | ଯଦି ଅତୀତକୁ ନେଇ ଜଣେ ଭୟଭୀତ ଏବଂ ଭବିଷ୍ୟତକୁ ନେଇ ଚିନ୍ତିତ ନ ହୁଏ ତାହେଲେ ତାଙ୍କୁ କେହି ବି ଡରାଇ ପାରିବନାହିଁ ବୋଲି ସେ କହନ୍ତି |

   Related Posts