CAB କୁ ବିରୋଧ : ଚାକିରୀ ଛାଡ଼ିଦେଲେ ବରିଷ୍ଠ ଆଇପିଏସ୍ ଅଫିସର , କାହିଁକି ବିବ୍ରତ ସେ…

Published By : Prameya-News7 Bureau | December 12, 2019 IST

ମୁମ୍ବାଇ ୧୨/୧୨: ନାଗରିକତା ସଂଶୋଧନ ବିଧେୟକ,୨୦୧୯ ଅର୍ଥାତ୍ କ୍ୟାବ୍ ଡିସେମ୍ବର ୧୧ତାରିଖରେ (ଗତକାଲି) ରାଜ୍ୟସଭାରେ ଆଗତ ହୋଇଯାଇଛି। ଲୋକସଭାରେ ଡିସେମ୍ବର ୯ତାରିଖରେ ପାସ୍ ହୋଇଯାଇଥିଲା। ରାଜ୍ୟସଭା ଏବଂ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଉପସ୍ଥାପନ କରିଥିଲେ। ଦେଶର ଅନେକ ସ୍ଥାନରେ ଅନେକ ଲୋକ ଏହି ବିଲକୁ ବିରୋଧ କରୁଛନ୍ତି। ଡିସେମ୍ବର ୧୧ତାରିଖରେ ଯେତେବେଳେ ରାଜ୍ୟସଭାରେ ଏହାକୁ ଆଗତ କରାଯାଇଥିଲା, ଏହାକୁ ବିରୋଧ କରି ଜଣେ ଆଇପିଏସ୍ ଅଫିସର ଇସ୍ତଫା ଦେଇ ଦେଇଥିଲେ।

ଏହି ଆଇପିଏସ୍ ଅଫିସରଙ୍କ ନାଁ ଅବଦୁର ରହମାନ। ସେ ୧୯୯୭ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ମହାରାଷ୍ଟ୍ରର ମାନବାଧିକାର ଆୟୋଗରେ ସ୍ପେଶାଲ ଇନସ୍ପେକ୍ଟର ଜେନେରାଲ ପଦରେ କାର୍ଯ୍ୟରତ ଥିଲେ। ଟ୍ବିଟରରେ ସେ କ୍ୟାବକୁ ବିରୋଧ କରି ଲେଖିଥିଲେ,

‘ ନାଗରିକତା ସଂଶୋଧନ ବିଲ୍ ୨୦୧୯ ସମ୍ବିଧାନର ନିୟମ ବିରୁଦ୍ଧ। ସେ ଏହି ବିଲର ନିନ୍ଦା କରିଛନ୍ତି। ସେ ଏହି ବିଲକୁ ଅବଜ୍ଞା କରି ନିଷ୍ପତ୍ତି ନେଇଛନ୍ତି ଯେ ସେ ଆସନ୍ତାକାଲିଠୁ ଅଫିସ ଆସିବେ ନାହିଁ। ସେ ତାଙ୍କ ଚାକିରୀ ଛାଡ଼ୁଛନ୍ତି। ଏହି ବିଲ୍ ଭାରତର ବହୁଧର୍ମାବଲମ୍ବୀ ନୀତିର ବିରୋଧୀ। ସେ ନ୍ୟାୟ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ଅପିଲ କରୁଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ଏହି ବିଲକୁ ବିରୋଧ କରନ୍ତୁ।

ଅବଦୁର ରେହମାନ ଏବର୍ଷ ଅଗଷ୍ଟ ମାସରେ ଭିଆରଏସ୍ ଅର୍ଥାତ୍ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିଲେ। ସେ ଟ୍ବିଟର ମାଧ୍ୟମରେ ଏହାର ସୂଚନା ଦେଇଥିଲେ। ସେ ନିଜର ଦୁଇଟି ଟ୍ବିଟରରେ କିଛି ଦସ୍ତାବିଜ ଯୋଡ଼ିଥିଲେ। ଏଥିରୁ ଗୋଟିକରେ ତାଙ୍କର ଭିଆରଏସର ସୂଚନା ଥିଲା।

ଏହି ଆବେଦନ ମହାରାଷ୍ଟ୍ରର ହୋମ୍ ଡିପାର୍ଟମେଣ୍ଟର ଆଡିସନାଲ ଚିଫ ସେକ୍ରେଟାରୀଙ୍କୁ ଦିଆଗଲା। ଏହା ବ୍ୟତୀତ ଅବଦୁର ଆଉ ଏକ ଦସ୍ତାବିଜ ମଦ୍ୟ ଟ୍ବିଟ୍ କରିଥିଲେ ଯେଉଁଥିରେ ସେ ନାଗରିକତା ସଂଶୋଧନ ବିଲର ବିରୋଧ କରିଥିଲେ।

ଅବଦୁର ରହମାନ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକର ନାଁ ‘ଡିନାୟଲ ଆଣ୍ଡ ଡିପ୍ରାଇ​ଭେସନ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.